ପିଲାଙ୍କୁ ସଂସ୍କାର ଶିକ୍ଷା ଦେବେ ଏମିତି
ପିଲାଙ୍କୁ ସଂସ୍କାର ଶିକ୍ଷା ଦେବେ ଏମିତି
ମା’ ପେଟରୁ ହିଁ ପିଲାଟିଏ ଶିଖିଥାଏ ପ୍ରଥମ ପାଠ। ଜନ୍ମ ହେଲାମାତ୍ରେ ପରିବାର ପାଲଟେ ତା’ର ପ୍ରଥମ ପାଠଶାଳା। ମା, ବାପା,ଭଉଣୀ ଭାଇଙ୍କଠାରୁ ଆରମ୍ଭ ହୋଇଥିବା ଏ ସଂସ୍କାର ଜୀବନର ଶେଷ ଯାଏ ଚାଲିଥାଏ। ଜୀବନର ନୀତି ନୈତିକତା ପାଇଁ ନୈତିକ ଶିକ୍ଷା ବି ବେଶ୍ ଜରୁରୀ। ଆରମ୍ଭରୁ ଗପ, ଗୀତ ଆଉ କାହାଣୀ ମାଧ୍ୟମରେ ଦିଆଯାଉଥିବା ଶିକ୍ଷା ଏବେ ପାଠ୍ୟକ୍ରମରେ ସାମିଲ ହେଲାଣି…
ସିଲାବସ ପାଠ ପଢ଼ିବା ଆଗରୁ ପିଲାଙ୍କୁ ପରିବାରରୁ ମିଳେ ନୈତିକତାର ପାଠ। ନୈତିକ ଗୁଣ ହିଁ ସେମାନଙ୍କର ଚରିତ୍ର ଆଉ ସଂସ୍କାରର ପରିଚୟ ଦେଇଥାଏ। ଆଉ ପିଲାଙ୍କୁ ନୈତିକତାର ଶିକ୍ଷା ଦେବା କ୍ଷେତ୍ରରେ ମା’ମାନଙ୍କର ହିଁ ଭୂମିକା ସବୁଠୁ ଅଧିକ।
ଗପ,ଗୀତରେ ଶିକ୍ଷା: ମାଆମାନେ ପିଲାମାନଙ୍କୁ ସବୁଦିନେ ଶୋଇବାବେଳେ ବିଭିନ୍ନ ପ୍ରକାରର ଗପ କହିବା ସହିତ ଗୀତ ବି ଶୁଣାନ୍ତି। ଆଉ ଏଇ ଗପ ଓ ଗୀତ ମାଧ୍ୟମରେ ହିଁ ସେମାନଙ୍କୁ ବିଭିନ୍ନ ପ୍ରକାର ନୀତିଶିକ୍ଷା ଦେଇଥାନ୍ତି। ଗପ କି ଗୀତ ଶୁଣିବା ପାଇଁ ସାଧାରଣତଃ ପିଲାମାନେ ଭଲପାନ୍ତି। ଏହି ମାଧ୍ୟମ ହିଁ ସେମାନଙ୍କ ଉପରେ ବେଶି ପ୍ରଭାବ ପକାଇଥାଏ। ମାଆମାନଙ୍କ ବ୍ୟତୀତ ଜେଜେ କିମ୍ବା ଜେଜମାମାନେ ମଧ୍ୟ ସୁନ୍ଦର କାହାଣୀ ଓ କଥା ମାଧ୍ୟମରେ ଜୀବନର ନୈତିକ ଶିକ୍ଷା ଦେଇଥାନ୍ତି।
ପରିବାର ସହ: ପରିବାରରେ ସମସ୍ତଙ୍କ ସହିତ ଏକାଠି ରହିବା ମଧ୍ୟ ଏକ ନୈତିକ ଶିକ୍ଷାର ମାଧ୍ୟମ। କାହିଁକିନା ଯୌଥ ପରିବାରରେ ସମସ୍ତଙ୍କ ସହିତ ରହିବା ସମୟରେ କାହା ପ୍ରତି କିଭଳି ବ୍ୟବହାର କରିବାକୁ ହୁଏ, ସେନେଇ ଶିକ୍ଷା ମିଳିଥାଏ। ପିଲାଙ୍କୁ ଶିଷ୍ଟାଚାର ଶିକ୍ଷା, ନମ୍ର ବ୍ୟବହାର ଆଉ ସହିଷ୍ଣୁତା ଆଦି ଗୁଣ ମଧ୍ୟ ଶିକ୍ଷା ମିଳିଥାଏ।
ସମାଜ ସଂସ୍କାର: ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ସବୁ ସ୍ଥାନରେ ଆଦର ମିଳିଥାଏ। ଉତ୍ତମ ଚରିତ୍ରର ବ୍ୟକ୍ତିଙ୍କ ବ୍ୟବହାରରେ ସମସ୍ତେ ଖୁସି ହୋଇଥାନ୍ତି। ଖାଲି ସେତିକି ନୁହେଁ ପ୍ରତ୍ୟେକ ସ୍ଥାନରେ ସେ ତା’ ମହତ ଗୁଣ ଆଚରଣରେ ସମାଜ ପାଇଁ ମଧ୍ୟ ଉଦାହରଣ ସାଜିପାରନ୍ତି।




admin 