‘ରାଜ୍ୟରେ ଚାଲିଛି ଜଙ୍ଗଲରାଜ’

‘ରାଜ୍ୟରେ ଚାଲିଛି ଜଙ୍ଗଲରାଜ’

‘ରାଜ୍ୟରେ ଚାଲିଛି ଜଙ୍ଗଲରାଜ’

ଭୁବନେଶ୍ୱର : ରାଜ୍ୟରେ ଆଇନର ଶାସନ ନାହିଁ  । ଜଙ୍ଗଲରାଜ ଚାଲିଛି  । ପୁଲିସ କହିଲେ ବିଜେଡ଼ି ଟିକେଟ ମିଳୁଛି  । ଶାସକ ଦଳ ପାଇଁ ଭୋଟ ସଂଗ୍ରହ ନିମନ୍ତେ ପୁଲିସ ଲାଂଚ ଦେବାକୁ ବି ପଛାଉନାହିଁ  । ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି  । ମହିଳାଙ୍କୁ ନ୍ୟାୟ ମିଳୁନାହିଁ  । ଗୁଣ୍ଡାମାନଙ୍କ ପ୍ରାଦୁର୍ଭାବ ପଡ଼ିଛି  । ଖଣି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ବିଫଳ ହୋଇଛନ୍ତି  । ଏହିଭଳି ଭାବେ  ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି  ।

ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଲେଯେ, ଜନମଙ୍ଗଳ ରାଷ୍ଟ୍ରରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । କିନ୍ତୁ ଓଡ଼ିଶା ଏବେ ପୁଲିସ ଶାସନ ଆଡ଼କୁ ଗତି କରୁଛି  । ଡିଜି, ଏସପି କହିଲେ ଶାସକ ଦଳ ଟିକେଟ ମିଳୁଛି  । ବିଧାୟକ ମୋହନ ମାଝୀ, ମୁକେଶ ମହାଲିଙ୍ଗଙ୍କ ଉପରେ ଆକ୍ରମଣ ହେଲେବି ପୁଲିସ ହାତବାନ୍ଧି ବସିପଡୁଛି  । ହାଜତ ମୃତ୍ୟୁ ଓ ମାନବଚାଲାଣ ଉଦବେଗଜନକ ଭାବେ ବୃଦ୍ଧି ପାଇଛି  । ଦିନରେ ଝିଅଟେ ପଦାକୁ ବି ବାହାରି ପାରୁନାହିଁ  । ରାଜଧାନୀ ସମେତ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳୀ ପାଲଟିଯାଇଛି  । ମହିଳାଙ୍କୁ ନ୍ୟାୟଦେବାରେ ସରକାର ବିଫଳ ହୋଇଛନ୍ତି  । ଗୋଚାଲାଣକାରୀଙ୍କ ବିରୋଧରେ ପ୍ରତିବାଦ କଲେ ପୁଲିସ ମିଛ ମାମଲାରେ ଛନ୍ଦି ଦେଉଛି  । ସାଇବର ଠକେଇ ଓ ଚାକିରୀ ନାଁରେ ଠକେଇ ର‍୍ୟାକେଟ କାୟା ବିସ୍ତାର କରିବାରେ ଲାଗିଛନ୍ତି  । ଗାଁ ତେଜରାତି ଦୋକାନରେ ଏବେ ବିଦେଶୀ ମାଲ ମିଳୁଛି ବୋଲି ଶ୍ରୀ ସେଠୀ ସମାଲୋଚନା କରିଥିଲେ  । ଆଲୋଚନାରେ ବିଜେପି ପକ୍ଷରୁ ବିଧାୟକ ସର୍ବଶ୍ରୀ ସନାତନ ବିଜୁଳି,  ମୁକେଶ ମହାଲିଙ୍ଗ, କୁସୁମ ଟେଟେ ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଏ ସରକାର ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଜନବିରୋଧୀ ସରକାର  । ଦୁର୍ନୀତି ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉନାହିଁ  । ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ ହୋଇଛନ୍ତି  । ମାଇନିଂରୁ ଆସୁଥିବା କଳାଧନ ଏବେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛି  । ଶାସକ ଦଳର ଭୋଟ ପାଇଁ ଭୋଟରଙ୍କୁ ପୁଲିସ ଲାଂଚ ଦେଉଛି  । ଗୁଣ୍ଡାମାନେ ଭୋଟରଙ୍କୁ ଧମକାଉଛନ୍ତି  । କିନ୍ତୁ ଅଭିଯୋଗ କଲେବି ପୁଲିସ ନୀରବଦ୍ରଷ୍ଟା ସାଜିଛି  । ରାଜ୍ୟରେ ଆଇନର ଶାସନ ନାହିଁ, ଜଙ୍ଗଲ ରାଜ ଚାଲିଛି  । ଅପରାଧିଙ୍କ ବାହାଘରରେ ପୁଲିସ ଅତିଥି ସାଜିଛି  । ଓଡ଼ିଶାରେ ଅପରାଧ ହାର ଉଦବେଗଜନକ ଭାବେ ବଢ଼ିଚାଲିଛି ବୋଲି ନରସିଂହ କହିଥିଲେ  । ଆଲୋଚନାରେ କଂଗ୍ରେସ ପକ୍ଷରୁ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା ଓ ତାରା ବାହିନୀପତି ଭାଗ ନେଇଥିଲେ  ।