୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା , ଅପ୍ରସ୍ତୁତ ନରେନ୍ଦ୍ର ପୋଖରୀ
ପୁରୀ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ୨୧ ଦିନ ମହାପ୍ରଭୁ ଜଳକ୍ରୀଡା କରିବେ । କିନ୍ତୁ ପ୍ରସ୍ତୁତ ହୋଇପାରିନି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ । ନରେନ୍ଦ୍ରର ଯେଉଁ ବିକାଶ କାର୍ଯ୍ୟ ଚାଲିଛି, ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ । ଚାରିପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଛି । ସେପଟେ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ୱ ଓ ଚନ୍ଦନ ଚକଡାର ବିକାଶ ପାଇଁ ପାଣି ଶୁଖାଇ ଦିଆଯାଇଥିଲା । ଫଳରେ ନରେନ୍ଦ୍ରର ଜଳପତନ ବି କମିଯାଇଛି ।
ଏଭଳି ସ୍ଥିତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସହ ପଞ୍ଚ ମହାଦେବ ଡଙ୍ଗାରେ ବସି କିଭଳି ଜଳକ୍ରୀଡା କରିବେ, ତାହା ଚିନ୍ତାର ବିଷୟ ପାଲଟିଛି । ସେପଟେ ପ୍ରତିଦିନ ଜଳକ୍ରୀଡା ପାଇଁ ଶ୍ରୀମନ୍ଦିର ବାହାରି ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ ବଡଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ । ପଞ୍ଚ ମହାଦେବ ବି ନିଜ ନିଜ ମନ୍ଦିରରୁ ବାହାରି ସିଂହଦ୍ୱାରରେ ଏକାଠି ହେବା ପରେ ଚନ୍ଦନ ଚକଡା ଅଭିମୁଖେ ଯାତ୍ରା କରିବେ । ଜଳକ୍ରୀଡା ସାରି ପୁଣି ଦେବଦେବୀ ଶ୍ରୀମନ୍ଦିର ଓ ପଞ୍ଚ ମହାଦେବ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । କିନ୍ତୁ ଯେଉଁ ବାଟ ଦେଇ ଦେବଦେବୀ ଚନ୍ଦନ ଚକଡାକୁ ବିଜେ କରିବେ ଓ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ, ସେହି ରାସ୍ତାକୁ ଖୋଳି ଦିଆଯାଇଛି । ଏଭଳି ସ୍ଥିତିରେ ଠାକୁର କିଭଳି ଶ୍ରୀମନ୍ଦିରରୁ ବାହାରିବେ, ଶ୍ରୀମନ୍ଦିରରୁ ଚନ୍ଦନ ଚକଡାକୁ ଯିବେ, ତାହା ଚିନ୍ତାର କାରଣ ପାଲଟିଛି ।




admin 