୧୭ ଦିନରେ ଯୁଦ୍ଧ, ରୁଷିଆର ଆକ୍ରମଣରେ ୭୮ ଶିଶୁଙ୍କ ମୃତ୍ୟୁ

୧୭ ଦିନରେ ଯୁଦ୍ଧ, ରୁଷିଆର ଆକ୍ରମଣରେ ୭୮ ଶିଶୁଙ୍କ ମୃତ୍ୟୁ

୧୭ ଦିନରେ ଯୁଦ୍ଧ, ରୁଷିଆର ଆକ୍ରମଣରେ ୭୮ ଶିଶୁଙ୍କ ମୃତ୍ୟୁ

କିଭ୍: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ୧୭ ଦିନ ହେଲା ଭୟଙ୍କର ଯୁଦ୍ଧ ଜାରି ରହିଛି। ରୁଷ୍‌ର ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଯାଇଛି ୟୁକ୍ରେନ୍‌ର ଏକାଧିକ ସହର। ଏହା ମଧ୍ୟରେ ଆକ୍ରମଣରେ ୟୁକ୍ରେନ୍ର ୭୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ପ୍ରାୟ ୯୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଛି। ୟୁକ୍ରେନ୍ ମାନବାଧିକାର ସଂଗଠନ କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ, ୭୮ ଶିଶୁଙ୍କର ମୃତ୍ୟୁ ଘଟିଛି। ମାରିଉପୁଲ ଓ ଇର୍ପିନ୍ରେ ଏବେ ଘମାଘୋଟ ଲଢ଼େଇ ଚାଲିଥିବାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରି ନାହିଁ। ୟୁକ୍ରେନ୍ର ବିଭିନ୍ନ ଶ୍ମଶାନରେ ଏବେ ସ୍ଥାନାଭାବ ଦେଖାଦେଇଥିବାରୁ ସମୂହ ଶବଦାହ କରାଯାଉଥିବା ପ୍ରକାଶ।

ଅନ୍ୟପକ୍ଷରେ ୟୁକ୍ରେନ୍ ସେନା ରୁଷିଆ ଦଖଲରୁ ଖାର୍କିଭ୍ ଓ ଡେରାଚି ଅଞ୍ଚଳ ଛଡ଼ାଇ ଆଣିଛନ୍ତି। ଗତ ସପ୍ତାହରେ ରୁଷିଆ ଏହି ଦୁଇ ଅଞ୍ଚଳକୁ ଦଖଲ କରିନେଇଥିଲେ ମଧ୍ୟ ବିଶେଷ କରି ଖାର୍କିଭ୍ରେ ତୁମୁଳ ଲଢ଼େଇ ଜାରି ରହିଥିଲା। ୟୁକ୍ରେନ୍ ସେନା ଏହି ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଗୁରୁବାର ଏହି ଉଦ୍ୟମରେ ସେମାନେ ସଫଳ ହୋଇଥିବା ଜଣାପଡ଼ିଛି। ରୁଷୀୟ ସେନା ଖାର୍କିଭ୍କୁ ଚାରିପଟୁ ଘେରି ରହିଥିଲେ ମଧ୍ୟ ପ୍ରତିପକ୍ଷ ସେମାନଙ୍କ ବ୍ୟୁହ ଭାଙ୍ଗିବା ସହ ତଡ଼ିବାରେ ସଫଳ ହୋଇଛନ୍ତି। ୟୁକ୍ରେନ୍ ସେନା ନିୟନ୍ତ୍ରଣକୁ ଏହି ଦୁଇ ଅଞ୍ଚଳ ଫେରିଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ୟୁକ୍ରେନ୍ ସେନା ଆକ୍ରମଣରେ ରୁଷିଆ ସୈନ୍ୟ ଛତ୍ରଭଙ୍ଗ ଦେଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅପରପକ୍ଷରେ ଗତ ୧୬ ଦିନର ଯୁଦ୍ଧରେ ରୁଷିଆର ୧୨ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍ ପକ୍ଷରୁ ଦାବି କରାଯାଇଛି। ଏତଦ୍ ବ୍ୟତୀତ ୪୯ଟି ଯୁଦ୍ଧବିମାନ, ୮୧ ହେଲିକପ୍ଟର ଓ ୩୩୫ଟି ଟ୍ୟାଙ୍କ ଧ୍ବଂସ ପାଇଥିବା ସରକାରୀ ଭାବେ କୁହାଯାଇଛି। ପୁନଶ୍ଚ ରୁଷିଆ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟବହୃତ ୧୧୦୫ଟି ଯୁଦ୍ଧଯାନ ସହ ୫୨୬ ଗାଡ଼ି, ୬୦ଟି ତେଲ ଟାଙ୍କି, ୧୨୩ କମାଣ, ଦୁଇଟି ନୌକା, ୫୬ ରକେଟ ଲଞ୍ଚର, ୨୯ବିମାନ ଧ୍ବସଂକାରୀ ଅସ୍ତ୍ର ଓ ୭ ଡ୍ରୋନ୍ ଧ୍ବଂସ ହୋଇଛି।