ହିମାଚଳ ପ୍ରଦେଶ ବିଧାନସଭାରେ ୫ କଂଗ୍ରେସ ବିଧାୟକ ନିଲମ୍ବିତ

ହିମାଚଳ ପ୍ରଦେଶ ବିଧାନସଭାରେ ୫ କଂଗ୍ରେସ ବିଧାୟକ ନିଲମ୍ବିତ

ହିମାଚଳ ପ୍ରଦେଶ ବିଧାନସଭାରେ ୫ କଂଗ୍ରେସ ବିଧାୟକ ନିଲମ୍ବିତ
ସିମଲା: ହିମାଚଳ ପ୍ରଦେଶ ବିଧାନସଭା ଭିତରେ ଶୁକ୍ରବାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ କଂଗ୍ରେସ ବିଧାୟକମାନେ ଠେଲାପେଲା କରିଛନ୍ତି । ଏହି ଘଟଣାରେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରିଙ୍କ ସହିତ ୫ ଜଣଙ୍କୁ ବାଚସ୍ପତି ବିପିନ ପାରମାର ଅଧିବେଶନର ଅବଶିଷ୍ଟ ସମୟ (ମାର୍ଚ୍ଚ ୨୦) ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । ବିଧାନସଭାର ବଜେଟ ଅଧିବେଶନ ଉଦଘାଟନ କରି ରାଜ୍ୟପାଳ ଦେଇଥିବା ଭାଷଣ ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ ଆଣି ଗୃହରେ ବିରୋଧୀ ଦଳ ଆସନରେ ଥିବା କଂଗ୍ରେସ ବିଧାୟକମାନେ ହଟଗୋଳ କରିଥିଲେ । ପରେ ସେମାନେ ଅଧିକ ପ୍ରତିକି୍ରୟା ଶୀଳ ହୋଇ ରାଜ୍ୟପାଳଙ୍କୁ ଠେଲାପେଲା କରିଥିଲେ । ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ରାଜ୍ୟପାଳ ବିଧାନସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ବାଚସ୍ପତି ବିପିନ ପାରମାରଙ୍କ ଗହଣରେ ତାଙ୍କ ଗାଡ଼ି ପାଖକୁ ଯାଉଥିବା ବେଳେ ବାଚସ୍ପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ଠେଲାପେଲା କରିଥିଲେ । ଏହି ଘଟଣା ପରେ ଗୃହ ମୁଲତବୀ ରଖାଯାଇଥିଲା । ଶୁକ୍ରବାର ଅପରାହ୍ନରେ ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ପ୍ରସ୍ତାବ ଅନୁଯାୟୀ ରାଜ୍ୟପାଳଙ୍କ ଉପରେ ଆକ୍ରମଣ ଅଭିଯୋଗଗରେ ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତି୍ରଙ୍କ ସମେତ ପାଞ୍ଚ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏଭଳି ଘଟଣା ନୀତି ବିରୁଦ୍ଧ ବୋଲି ବାଚସ୍ପତି ମତ ଦେବା ସହ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।