ସ୍ୱାଧୀନତା ଦିବସରେ ହେବନି ସମ୍ମିଳିତ ପରେଡ଼

ସ୍ୱାଧୀନତା ଦିବସରେ ହେବନି ସମ୍ମିଳିତ ପରେଡ଼

ସ୍ୱାଧୀନତା ଦିବସରେ ହେବନି ସମ୍ମିଳିତ ପରେଡ଼
ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପରେଡ ପ୍ରଦର୍ଶନୀ ଅନୁଷ୍ଠିତ ହେବ ନାହିଁ । ପୁଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ଟି ପୁଲିସ ବାହିନୀର ଟ୍ରୁପ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ-୧୯ କଟକଣା ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ କହିଥିଲେ ଯେ ଓଡ଼ିଶା କୋଭିଡ-୧୯ ପରି ଏକ ଅଦ୍ଭୁତପୂର୍ବ ବିପର୍ଯ୍ୟୟ ବିରୋଧରେ ଲଢେ଼ଇ କରୁଛି । ଜନସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ ସର୍ବନିମ୍ନ କରିବା ନିମନ୍ତେ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି । ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ ଏହି କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତି୍ରପାଠୀ ନିଦେ୍ର୍ଧଶ ଦେଇଥିଲେ ।