ସ୍ବାଭାବିକ ହେଲେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ବାଭାବିକ ହେଲେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର: ଗହ୍ମା ପୂର୍ଣ୍ଣିମା ସକାଳୁ ସ୍ୱାଭାବିକ ହୋଇଛି ହେଲା ବାବା ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ମହାପ୍ରଭୁ ଗତ ମଙ୍ଗଳବାର ସନ୍ଧ୍ୟା ପରଠୁ ଉପବାସ ରହିଥିଲେ । ଆଜି ବି ସମାଧାନର ସୂତ୍ର ବାହାରି ନ ଥିବା ବେଳେ ମଙ୍ଗଳ ଆଳତି ପରେ ବାବାଙ୍କ ନୀତି ଆରମ୍ଭ ହୋଇଛି।
ଦୁଇ ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏହି ମତାନ୍ତର ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦ ଏତେ ତୀବ୍ର ହୋଇଥିଲା ଯେ, ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ମଧ୍ୟ ଉଠି ପାରିନଥିଲା । ମହାଦୀପ ନ ଉଠିବା ଯୋଗୁଁ ବର୍ଷ ବର୍ଷର ପରମ୍ପରା ବି ଭାଙ୍ଗିଥିଲା । କାଲି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ମଧ୍ୟ ହୋଇପାରିନଥିଲା । ବିବାଦର ୨ ଦିନ ପରେ ବି ଏହାର ସମାଧାନର ବାଟ ବାହାରିପାରୁନି।
ପ୍ରାଶାସନିକ ସ୍ତରରେ ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ଶ୍ରଦ୍ଧାଳୁମାନେ ଅନୁରୋଧ କରିଛନ୍ତି। ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ପ୍ରଭୁ ଲିଙ୍ଗରାଜ ସୃଷ୍ଟି କର୍ତ୍ତା। ଆମେ ମାନବ ହୋଇ ସବୁଦିନ ଖାଉଛୁ। ହେଲେ ସେ ଦିନ ଦିନ ଭୋକ ଉପାସରେ ରହୁଛନ୍ତି। ଏହା ଆମକୁ ଖୁବ୍ କଷ୍ଟ ଦେଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନର ବାଟ ବାହାର କରିବା ଉଚିତ।




admin 