ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଆଜି ଦେଶର ଚତୁର୍ଦ୍ଦଶ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପ ରାଷ୍ଟ୍ରପତି ନିର୍ବାଚନର ଧନଖଡ଼ଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବେଶ ସହଜରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଥିଲେ। ଅଗଷ୍ଟ ୬ରେ ସେ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ଶପଥ ଗ୍ରହଣ କରିଛନ୍ତି।

ଧନଖଡ଼ଙ୍କ ଶପଥପାଠ ଉତ୍ସବ ପାଇଁ ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳର ନେତାମାନେ ଶପଥପାଠ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ସେହପରି ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ରହିଥିଲେ।

ଶ୍ରୀ ଧନଖଡ଼ ଉପ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୫୨୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ମାର୍ଗାରେଟ ୧୮୨ ଖଣ୍ଡ ଭୋଟ ପାଇଥିଲେ। ୧୯୫୧ ମସିହା ମେ’ ୧୮ରେ ଜନ୍ମ ଗ୍ରହଣ କରିଥିବା ୭୧ ବର୍ଷୀୟ ଜଗଦୀପ ଧନଖଡ଼ଙ୍କ ଘର ରାଜସ୍ଥାନରେ। ସେ ସୈନିକ ସ୍କୁଲରେ ପାଠପଢ଼ିଥିଲେ। ସେ ରାଜସ୍ଥାନ ବିଶ୍ୱବିଦ୍ୟାଳରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏଲ୍ଏଲ୍ବି କରିଥିଲେ। ଆଡ୍ଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିବା ଧଡ଼ଖଡ଼ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅନେକ ମାମଲା ଲଢ଼ିଛନ୍ତି। ୧୯୮୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍ରେ ସେ ରାଜସ୍ଥାନର ଝୁନ୍ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତାଙ୍କର ଏହି କାର୍ୟ୍ୟକାଳ ୧୯୮୯ରୁ ୧୯୯୧ ପର୍ୟ୍ୟନ୍ତ ରହିଥିଲା। ଏହା ମଧ୍ୟରେ ୧୯୯୦ରୁ ୧୯୯୧ ପର୍ୟ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ୟ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି।

୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ୟ୍ୟନ୍ତ ସେ ବିଧାୟକ ରହିଥିଲେ। ଜନତା ଦଳ ଓ କଂଗ୍ରେସ ସହିତ ସଂଶ୍ଲୀଷ୍ଟ ଥିବା ଶ୍ରୀ ଧନଖଡ଼ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ୨୦୨୨ରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବାରୁ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।