ସ୍ତ୍ରୀର ଜୁଇକୁ ଡେଇଁ ପଡ଼ିଲେ ସ୍ବାମୀ
ସ୍ତ୍ରୀର ଜୁଇକୁ ଡେଇଁ ପଡ଼ିଲେ ସ୍ବାମୀ
ସମ୍ବଲପୁର: କଳାହାଣ୍ଡି ଜିଲ୍ଲାରେ ଘଟିଛି ଏକ ଅଭାବବନୀୟ ଘଟଣା। ସ୍ତ୍ରୀର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସ୍ବାମୀ। ସ୍ତ୍ରୀଙ୍କ ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ହାରିଛନ୍ତି ସ୍ବାମୀ। ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡ଼ି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି। ମଙ୍ଗଳବାର ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଏବାରୀ ଶବର (୬୦)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ତାଙ୍କର ୪ ପୁଅ ଓ ଆତ୍ମୀୟମାନେ ଆସିବା ପରେ ଅନ୍ତିମ ସଂସ୍କାର କରିବାକୁ ଗାଁ ଶ୍ମଶାନକୁ ନେଇଥିଲେ । ରଏବାରୀଙ୍କ ଜୁଇ ଜଳିବା ପରେ ସମସ୍ତେ ସ୍ନାନ କରି ଘରକୁ ଫେରିଥିଲେ । ସେଠାରେ ତାଙ୍କ ସ୍ୱାମୀ ଆଉ ୨ ଜଣ ଜଗିଥିଲେ । ମାନସିକ ଭାରସାମ୍ୟ ହରାଇ ହଠାତ ଜୁଇ ଉପରକୁ ନୀଳମଣି ଡେଇଁପଡିଥିଲେ। ନିଆଁ ଜୋରରେ ଜଳୁଥିବାରୁ ତାଙ୍କୁ କେହି ଉଦ୍ଧାର କରିପାରି ନଥିଲେ। ସ୍ତ୍ରୀର ଜୁଇରେ ସେ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ତୁରନ୍ତ ତାଙ୍କର ୪ ପୁଅ, ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ । ସ୍ତ୍ରୀର ଜୁଇକୁ ସ୍ୱାମୀ ଡେଇଁବା ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ନୀଳମଣି ଚହକା ପଞ୍ଚାୟତର ସିଆଲଯୋଡି ଗ୍ରାମ ୫ ନଂ ୱାର୍ଡର ୱାର୍ଡମେମ୍ବର ଥିଲେ । ବିଗତ ଦିନରେ ଚହକା ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ ।




admin 