ସେବାୟତଙ୍କର କୋଭିଡ ଟେଷ୍ଟ ହେବ, କରୋନା ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି
ସେବାୟତଙ୍କର କୋଭିଡ ଟେଷ୍ଟ ହେବ, କରୋନା ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି
admin
May 20, 2021 - 10:10
Updated: May 20, 2021 - 10:10
ପୁରୀ: କରୋନା ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ । ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେ କହିଛନ୍ତି ଯେ, ନିୟମାବଳୀ ଅନୁଯାୟୀ ସବୁ ସେବାୟତଙ୍କର କୋଭିଡ ଟେଷ୍ଟ ହେବ । ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ । ୮ ଜଣ ସେବାୟତ ସଂକ୍ରମିତ ହୋଇଛନ୍ତି । ସେବାୟତଙ୍କୁ ଏନ୯୫ ମାସ୍କ ଦିଆଯିବ । ରଥଖଳା ପ୍ରବେଶ ଉପରେ କଟକଣା ଜାରି କରାଯିବ । ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା କରି ରିପୋର୍ଟ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।
ପ୍ରକାଶ ଯେ, କୋଭିଡ୍ କଟକଣା ମଧ୍ୟରେ ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ଜାରି ରହିଛି । ପୂର୍ବ ନିଷ୍ପତି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ପାଳନ କରି ରଥ ନିର୍ମାଣ କାର୍ୟ୍ୟ କରୁଛନ୍ତି ବିଶ୍ୱକର୍ମା ମହାରଣା । ପ୍ରାଥମିକ ପର୍ୟ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର ପ୍ରସ୍ତୁତି ଚାଲିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରଥଖଳାର ପରିସୀମା ବୃଦ୍ଧି ହେବାସହ ସାମାଜିକ ଦୂରତ୍ୱ ରକ୍ଷା କରି ଓ ସାନିଟାଈଜର ବ୍ୟବହାର କରି ରଥ ନିର୍ମାଣ କାର୍ୟ୍ୟ କରାଯାଉଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ଦୃଷ୍ଟିରେ ରଖି ରଖ ନିର୍ମାଣ କାର୍ୟ୍ୟ କରାଯାଉଛି।
ଅନ୍ୟପକ୍ଷରେ ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାର ଦ୍ୱିତୀୟ ଲହରରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତୁ୍ୟ ହୋଇଛି । ଜଣେ ଜେଟିପିଙ୍କର ସଂକ୍ରମଣରେ ମୃତୁ୍ୟ ନେଇ ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।