ସେବାୟତ ବେଶରେ ଶ୍ରୀମନ୍ଦିରରେ ପଶିଲେ!
ସେବାୟତ ବେଶରେ ଶ୍ରୀମନ୍ଦିରରେ ପଶିଲେ!
admin
Oct 21, 2020 - 09:58
Updated: Oct 21, 2020 - 09:58
ପୁରୀ: ବିଭିନ୍ନ ଘଟଣାବଳୀକୁ ନେଇ ଶ୍ରୀମନ୍ଦିର ସବୁବେଳେ ଚର୍ଚ୍ଚାରେ । କେତେବେଳେ ଶ୍ରୀମନ୍ଦିର ଉପରକୁ ପାଗଳ ଚଢ଼ିଯିବା ନେଇ ତ ଅନ୍ୟ କେତେବେଳେ ଶ୍ରୀମନ୍ଦିର ପତିତପାବନ ବାନା ଚିରିଯିବା ନେଇ ଚର୍ଚ୍ଚା ହୋଇଥାଏ । ତେବେ ଲକଡାଉନ ସମୟରେ ଶ୍ରୀମନ୍ଦିର ମଧ୍ୟକୁ ବାହାର ଜିଲ୍ଲାର ଜଣେ ପୁଲିସ ଇନସ୍ପେକ୍ଟର ପଶିଯିବା ପରେ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ ଅଧିକ କଟକଣା ଜାରି ହୋଇଥିଲା । କେବଳ ସେବାୟତମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷିଦ୍ଧ କରାଗଲା । ମାତ୍ର ଏତେ କଟକଣା ସତ୍ତ୍ୱେ ହିନ୍ଦୁ ଭିନ୍ନ ଅନ୍ୟ ଧର୍ମର କିଛି ଲୋକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, କଟକରୁ ଚାରି ଜଣ ବ୍ୟକ୍ତି ସେବାୟତ ବେଶରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ତାଙ୍କୁ କେତେକ ସେବାୟତ ମା’ବିମଳାଙ୍କ ମନ୍ଦିର ସମ୍ମୁଖରେ ଚିହ୍ନଟ କରିଥିଲେ । ଏହା ପରେ ଏମାନଙ୍କୁ ଶ୍ରୀମନ୍ଦିର ଭିତରୁ ବାହାର କରି ଦିଆଯାଇଥିଲା । ଏହି ସମୟରେ ଡିଉଟିରେ ଥିବା ପୁଲିସ ଓ ଜେଟିପିମାନେ ଏହି ଘଟଣାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହା ଜଣାପଡ଼ିବା ପରେ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକି୍ରୟା ଦେଖାଦେଇଛି । ସେବାୟତ କୁଳର ମହିଳାମାନଙ୍କୁ ଶ୍ରୀମନ୍ଦିରରେ ପ୍ରବଶେ ନିଷେଧ ରହିଥିବା ବେଳେ ଏହି ଚାରି ଜଣଙ୍କୁ କିପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ପଶ୍ଚିମ ଦ୍ୱାରରେ ଥିବା ସୁରକ୍ଷାକର୍ମୀ ଓ ଜେଟିପିମାନେ କିପରି ଏହି ଜାରି ଜଣଙ୍କୁ ଚିହ୍ନଟ କରିପାରିଲେ ନାହିଁ ବୋଲି ଏମାନେ ପ୍ରଶ୍ନ ଉଠାଉଛନ୍ତି । ଗୋଟିଏ ପଟେ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଚାଲୁଥିବା ବେଳେ ଏହି ଚାରି ଜଣ କିପରି ଶ୍ରୀମନ୍ଦିରରେ ପ୍ରବେଶ କରିପାରିଲେ ବୋଲି ଚର୍ଚ୍ଚା ହେଉଛି ।