ସିବିଆଇ କୋର୍ଟରେ ହାଜର କରାଗଲା ମୁଖ୍ୟଅଭିଯୁକ୍ତ ବିବନ
ସିବିଆଇ କୋର୍ଟରେ ହାଜର କରାଗଲା ମୁଖ୍ୟଅଭିଯୁକ୍ତ ବିବନ
admin
Feb 22, 2021 - 09:02
Updated: Feb 22, 2021 - 09:02
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷାରେ କମିଶନରେଟ ପୁଲିସ ବିବନକୁ ନେଇ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଇଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣଦୁଷ୍କର୍ମ ଘଟିଥିଲା । ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ । ଗଣଦୁଷ୍କର୍ମ ପରେ ଫେରାର ବିବନ ପୁଣେରେ ରହୁଥିଲା । ପୁଣେ ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା । ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ କାମ କରୁଥିଲା । ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ କରିଥିଲା । ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ କରୁଥିଲୁ । ଯାହା ସିବିଆଇ କରିପାରିନଥିଲା ଆମେ ତାହା କରି ସଫଳ ହେଲୁ । ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ । ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା ବୋଲି ସିପି କହିଥିଲେ ।