ସାପ କାମୁଡ଼ିଲେ କଣ କରିବେ
ସାପ କାମୁଡ଼ିଲେ କଣ କରିବେ
ଖରାଦିନ ଆସିଗଲା ଏବେ ସାପ ବାହାରିବା । ଏବେ ସାପ କାମୁଡ଼ିବାର ଭୟ ମଧ୍ୟ ବଢ଼ଇଯିବ କାରଣ ଏହି ସମୟରେ ଅତ୍ୟଧିକ ଖରା ହେବା ଫଳରେ ଲୋକେ ବାହାରେ ବା ଥଣ୍ଡାରେ ଶୋଇବା ପାଇଁ ତଳେ ଶୁଅନ୍ତି, କବାଟ ଝରକା ଖୋଲା କରି ଶୁଅନ୍ତି । ତେବେ ଏହି ସମୟରେ ସାପ କାମୁଡ଼ାର ଭୟ ମଧ୍ୟ ବଢ଼ିଯାଇଥାଏ। ଯଦି, କେବେ କାହାକୁ ସାପ କାମୁଡେ଼ ସାପ ବିଷ ଅପେକ୍ଷା ଭୟରେ ଲୋକ ମରିଯାଆନ୍ତି ।
କିପରି ସୁରକ୍ଷା ଦେବେ ନିଜକୁ:
ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ଘରେ ଖଟ ଉପରେ ଶୋଇବା ଆବଶ୍ୟକ, ମଶାରୀ ଟାଣିବା ସହ କବାଟ ଝରକା ପାଖରେ କଳା ଫିନାଇଲ ବା ବ୍ଲିଚିଂ ପାଉଡ଼ର ପକାଇ ପାରନ୍ତି । ଘରର ଫଟା କାନ୍ଥ ଓ ଗାତକୁ ଭଲ ଭାବରେ ବନ୍ଦ କରନ୍ତୁ । ଘରର ବେସିନ ବା ଗାଧୁଆଘରର ନାଳ ରେ ଜାଲି ଲଗାନ୍ତୁ । ଘରେ ସାପ ପଶିବାରୁ ରୋକିବା ପାଇଁ ବିଶେଷ କଥା ହେଉଛି ଆପଣ ଘରକୁ ସଫା କରନ୍ତୁ ଓ ମୂଷା, ବେଙ୍ଗ ଆଦି ସାପର ଖାଦ୍ୟକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ । ଘର ଆଖପାଖର ଅଳିଆ ଆବର୍ଜନାକୁ ସଫା କରନ୍ତୁ ।
କିପରି କରିବେ ପ୍ରାଥମିକ ଚିକିସôା:
ପ୍ରାଥମିକ ଚିକିତ୍ସା ବିଷଧର ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ବା ଅଳ୍ପ ସମୟ ମଧ୍ୟରେ କରିବା ଉପଯୋଗୀ ହୋଇଥାଏ । ବିଷଧର ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା ଏପରି ହେବା ଦରକାର ଯେପରିକି ପୀଡ଼ିତ ବ୍ୟକ୍ତି ନିଜେ ବି କରି ପାରିବେ ।
ସାପ କାମୁଡ଼ିଲେ କଣ କରିବା ଉଚିତ୍ :
- ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ଆଶ୍ୱାସନା ଦିଅନ୍ତୁ । 70% ସାପକାମୁଡା ବିଷ ହୀନ ସାପଙ୍କ ଦ୍ୱାରା ହୋଇଥାଏ । ଏମିତି ବି 50 % ବିଷଧର ସାପ କାମୁଡା ରେ ଆଦୌ ବିଷ ହିଁ ଯାଇ ନଥାଏ ।
- ସାପ କାମୁଡିଥିବା ଅଙ୍ଗରେ ପିନ୍ଧିଥିବା ମୁଦି, ଚୁଡି, ଘଣ୍ଟା, ବ୍ରତ, ପାଉଁଜି ଆଦି ଖୋଲି ଦିଅନ୍ତୁ । କାରଣ ସାପ ବିଷ ଯୋଗୁଁ ଯେତେବେଳେ କ୍ଷତ ସ୍ଥାନ ଥିବା ଅଙ୍ଗଟି ଫୁଲିଯିବ, ସେତେବେଳେ ଅଧିକ କଷ୍ଟ ହେବ, ଏବଂ ଖୋଲିବାକୁ ଅସୁବିଧା ହେବ ।
- କ୍ଷତ ସ୍ଥାନ ଉପରକୁ କ୍ରେପ ବ୍ୟାଣ୍ଡେଜ (ନହେଲେ ପତଳା ଲମ୍ବା କପଡା ଯେମିତିକି ଗାମୁଛା, ଧୋତି, ଚୁନି, ଇତ୍ୟାଦି) କୁ ଗୁଡେଇ ଗୁଡେଇ ହାଲକା କରି ବାନ୍ଧି ଦିଅନ୍ତୁ । ଆଦୌ ଟାଇଟ୍ କରି ବାନ୍ଧନ୍ତୁ ନାହିଁ ।
- କାମୁଡିଥିବା ହାତକୁ ଛାତି ତଳକୁ ଫୋଟୋ ରେ ଦେଖାଯାଇଥିବା ଭଳି ଭରା ଦେଇ ଝୁଲେଇ ରଖନ୍ତୁ । ଗୋଡ଼କୁ କାମୁଡିଥିଲେ ସଳଖ କରି ରଖିବାକୁ ଚେଷ୍ଟା କରନ୍ତୁ ।
- ସାପ ବିଷ ଦାଉରୁ ରକ୍ଷା ପାଇବା ପାଇଁ ସର୍ପ ବିଷ ନିରୋଧକ ଇଞ୍ଜେକ୍ସନ (ASV) ହିଁ ଏକମାତ୍ର ବିକଳ୍ପ । ଯଥାଶୀଘ୍ର ଏହି ସୁବିଧା ଉପଲବ୍ଧ ଥିବା ଡାକ୍ତରଖାନା କୁ ଯାଆନ୍ତୁ । ସାପ ବିଷ ପାଇଁ ପାରମ୍ପରିକ ପଦ୍ଧତିହର କୌଣସି ସୁଫଳ ମିଳିବାର ପ୍ରମାଣ ନାହିଁ ।
- ଡାକ୍ତରଖାନାରେ ପହଞ୍ଚି, ଯିବା ବାଟରେ କଣ ସବୁ ଲକ୍ଷଣ ରୋଗୀଙ୍କ ପାଖରେ ଦେଖାଗଲା ଡାକ୍ତରଙ୍କୁ ସବିଶେଷ କୁହନ୍ତୁ ।
- କାମୁଡିଥିବା ସାପ କୁ ଯଦି କେହି ମାରି ଦେଇଥାନ୍ତି, ତେବେ ଯତ୍ନର ସହିତ ଡାକ୍ତରଖାନାକୁ ଚିହ୍ନଟ ପାଇଁ ନିଅନ୍ତୁ । ଡାକ୍ତରଙ୍କୁ ଦେଖାନ୍ତୁ ।
- ମୃତ କିମ୍ବା ଜୀବନ୍ତ ସାପ ର ଫୋଟୋ ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ଉଠେଇ ନିଅନ୍ତୁ । ସେଇ ଫୋଟୋ କୁ ଡାକ୍ତରଙ୍କୁ ଦେଖାନ୍ତୁ । (ସାପ କୁ ଚିହ୍ନିବା ପାଇଁ ସ୍ନେକ ହେଲ୍ପ ଲାଇନ ୯୩୩୭୨୯୫୧୪୨ କୁ ହ୍ୱାଟ୍ସଆପ ଜରିଆରେ ପଠାନ୍ତୁ) ।
- ତେବେ, ସାପ କୁ ମାରିବା ପାଇଁ ବା ଧରିବା ପାଇଁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏହା କରିବା ବେଳେ ମୂଲ୍ୟବାନ ସମୟ ନଷ୍ଟ ହେବା ସହ ଅନ୍ୟ କାହାକୁ ସାପ କାମୁଡ଼ିବାର ଭୟ ମଧ୍ୟ ଅଛି ।




admin 