ସର୍ବାଧିକ ସିଏସ୍ଆର ଖର୍ଚ୍ଚ ଓଡ଼ିଶାରେ, ସିଏଜି ରିପୋର୍ଟ

ସର୍ବାଧିକ ସିଏସ୍ଆର ଖର୍ଚ୍ଚ ଓଡ଼ିଶାରେ, ସିଏଜି ରିପୋର୍ଟ

ସର୍ବାଧିକ ସିଏସ୍ଆର ଖର୍ଚ୍ଚ ଓଡ଼ିଶାରେ, ସିଏଜି ରିପୋର୍ଟ
ନୂଆଦିଲ୍ଲୀ : କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ବାବଦରେ କମ୍ପାନୀ ଗୁଡ଼ିକ ସର୍ବାଧିକ ପାଣ୍ଠି ଓଡ଼ିଶାରେ ଖର୍ଚ୍ଚ କରିଛନ୍ତି । ସଂସଦରେ ଉପସ୍ଥାପନ କରାଯାଇଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି । ଓଡ଼ିଶାରେ ୩୮୭,୮୬ କୋଟି ଟଙ୍କାର ସିଏସଆର ପାଣ୍ଠି ଖର୍ଚ୍ଚ କରାଯାଉଛି ଯାହା ଦେଶରେ ସର୍ବାଧିକ । ଓଡ଼ିଶା ପରେ ଛତିଶଗଡ଼ରେ ୩୦୩,୯୦ କୋଟି ଟଙ୍କା, ଗୁଜରାଟରେ ୨୭୮,୫୬ କୋଟି ଟଙ୍କା ଏବଂ ଉତ୍ତର ପ୍ରଦେଶରେ ୨୪୨,୨୭ କୋଟି ଟଙ୍କା ସିଏସଆର ପାଣ୍ଠିରୁ ଖର୍ଚ୍ଚ କରାଯାଇଛି । ଏଆଇଏଟିଏସଏଇ, କନକୋର ଏୟାର, ଜିଏସଏଲ, ଏମସିଏଲ, ମିଧାନ, ଏନଟିପିଏଲ ଏବଂ ପିଏଚଏଲ ଭଳି ସଂସ୍ଥା ଦ୍ୱାରା କେବଳ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ଗୋଆ, ତେଲେଙ୍ଗାନା, ତାମିଲନାଡ଼ୁ ଓ ଦାଦରା ଓ ନଗର ହାବେଳୀରେ ସିଏସଆର ବାବଦରେ ପାଣ୍ଠି ଖର୍ଚ୍ଚ କରାଯାଇଛି । ରିପୋର୍ଟ ଅନୁସାରେ ୨୦୧୭-୧୮ ରେ ସମୁଦାୟ ୩୩୩୮.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଦେଶରେ ୭ଟି ମହାରତ୍ନ ଉଦ୍ୟୋଗ ୧୩୬୫.୩୬ କୋଟି ଟଙ୍କା, ୧୪ଟି ନବରତ୍ନ ଉଦ୍ୟୋଗ ୯୯୦.୩୬ କୋଟି ଟଙ୍କା ୪୪ଟି ମିନିରତ୍ନ ଉଦ୍ୟୋଗ ୮୬୪.୧୭ କୋଟି ଟଙ୍କା ଏବଂ ଅନ୍ୟ ଉଦ୍ୟୋଗ ୧୧୮.୫୧ କୋଟି ଟଙ୍କା ସିଏସଆର ବାବଦରେ ଖର୍ଚ୍ଚ କରିଛନ୍ତି । ସିଏଜି ରିପୋର୍ଟରେ ଓଏନଜିସି ସମୁଦାୟ ସିଏସଆର ଖର୍ଚ୍ଚରୁ ୧୫.୦୮ ପ୍ରତିଶତ ଖର୍ଚ୍ଚ କରିଥିବା ଉଲ୍ଲେଖ ଅଛି । ଓଏନଜିସି ପରେ ଆଇଓସିଏଲ, ଏମସିଏଲ, ଏନଟିପିସି ଓ ଏନଏମଡିସି ମଧ୍ୟ ପାଣ୍ଠି ଖର୍ଚ୍ଚ କରିବାରେ ଅଗ୍ରଣୀ ସ୍ଥାନରେ ରହିଛନ୍ତି । ୮୨ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୧୦ଟି କ୍ଷେତ୍ରରେ ସର୍ବାଧିକ ରାଶି ଖର୍ଚ୍ଚ କରାଯାଇଥିଲା । ପେଟ୍ରୋଲିୟମ କ୍ଷେତ୍ରରେ ୧୪୧୬.୧୨ କୋଟି ଟଙ୍କା, କୋଇଲା ଓ ଖନନ କ୍ଷେତ୍ରରେ ୫୨୪.୪୯ କୋଟି ଟଙ୍କା, ଉର୍ବରକ କ୍ଷେତ୍ରରେ ୧୦.୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି । ଏମସିଏଲ ୨୬୭.୫୨ କୋଟି ଟଙ୍କା ଓ ନାଲକୋ ୨୯.୦୧ କୋଟି ଟଙ୍କା ସିଏସଆର ବାବଦରେ ଖର୍ଚ୍ଚ କରିଥିଲେ । ୨୦୧୬-୧୭ ରେ ନାଲକୋ ଦ୍ୱାରା ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବଜେଟ୍ର ଶତ ପ୍ରତିଶତ ଉପଯୋଗ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।