ସରଗରମରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ

ସରଗରମରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ

ସରଗରମରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ
ଝାରସୁଗୁଡା: ଝାରସୁଗୁଡା ବିଧାନସଭା କ୍ଷେତ୍ର ଉପରେ ଏବେ ସମସ୍ତଙ୍କ ନଜର । କଂଗ୍ରେସର ଥିବା ନବ ଦାସ ଏଥର ଦଳ ଅଦଳ ବଦଳ କରିବାରେ ଭୋଟର ତାଙ୍କୁ କିଭଳି ଗ୍ରହଣ କରୁଛନ୍ତି ତାହାକୁ ନେଇ ସଭିଙ୍କ ମଧ୍ୟରେ ଉକଣ୍ଠା । ହେଲେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବାରୁ ଏବେଠୁ କିଛି ଆକଳନ କରିବା ରାଜନୈତିକ ସମୀକ୍ଷକ କ୍ଷେତ୍ରରେ ସମ୍ଭବ ନୁହେଁ । ମାତ୍ର ହେଭିୱେଟ ନବ ଦାସଙ୍କୁ କଡା ଟକ୍କର ଦେବା ଲକ୍ଷ୍ୟରେ ରହିଛି ଉଭୟ କଂଗ୍ରେସ ଓ ବିଜେପି । ଭୋଟରଙ୍କ ନୀରବତା କିନ୍ତୁ ପ୍ରାର୍ଥୀଙ୍କୁ ଡରାଇବାକୁ ଲାଗିଛି । ନବ ଭୋଟ ଜିତିବାରେ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ବିରୋଧି କିନ୍ତୁ ଏଥର ନୀରବ ଭୋଟର ବେଶ ଭଲ ଝଟକା ଦେବେ ବୋଲି କହିବାକୁ ଲାଗିଲେଣି । ଯାହାକୁ ନେଇ ଚାରିଆଡେ ରାଜନୈତିକ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ନବ ଦାସଙ୍କ ପାଇଁ ଝାରସୁଗୁଡାରୁ ବିଜେଡି ଟିକେଟରୁ ପ୍ରତିଦ୍ୱନ୍ଦିତା କରିବାରେ ସେଭଳି କିଛି ଅସୁବିଧେ ହେବା ଭଳି ସ୍ଥିତି ଏଯାଏଁ ସୃଷ୍ଟି ହୋଇ ନାହିଁ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡିର ହେଭିୱେଟ କିଶୋର ମହାନ୍ତିଙ୍କ ସହ ହାତ ମିଳାଇବା ପରେ ଏଠାରେ ନବ ବାବୁ ବିରୋଧି ଶୂନ ହୋଇ ପଡିଥିବା ଚର୍ଚ୍ଚା ରହିଛି । ମାତ୍ର କଂଗ୍ରେସରୁ ଆଦିବାସୀ ସଂଗଠକ ମହେନ୍ଦ୍ର ନାୟକ ଏବଂ ବିଜେପିରୁ ବରିଷ୍ଠ ନେତା ଦିନେଶ ଜୈନଙ୍କୁ ବିରୋଧି ଦଳ ମଇଦାନକୁ ଓହ୍ଲାଇବା ପରେ ଏଠାରେ ସମୀକରଣ ବଦଳିଛି । ମହେନ୍ଦ୍ର ନାଏକ ଆଦିବାସୀଙ୍କ ନେତୃତ୍ୱ ନେଉଥିବାରୁ ତାଙ୍କ ପ୍ରତି ଆଦିବାସୀ ମାନଙ୍କର ସମର୍ଥନ ରହିବା ସ୍ୱାଭାବିକ । ମାତ୍ର ଆଦିବାସୀ ଏକତା ଏବଂ ସଂଗଠନରେ ବି ଫାଟ ପାଇଁ ପ୍ରତିପକ୍ଷ ବାଟ ଫିଟାଇବା ପ୍ରୟାସରେ ମାତିଛନ୍ତି । ଅନ୍ୟ ପକ୍ଷରେ ଓଡିଶାରେ ମୋଦୀଙ୍କ ସପକ୍ଷରେ ହାୱା ସୃଷ୍ଟି ପାଇଁ ବିଜେପି ପ୍ରୟାସ କରୁଥିବାରୁ ତାହାର ପ୍ରଭାବ ମଧ୍ୟ ଝାରସୁଗୁଡାରେ ପଡିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ନବଙ୍କ ମୁକାବିଲା ଲାଗି ଏଠାରେ କଂଗ୍ରେସ ନା ବିଜେପି କିଏ ସମର୍ଥ ହେବେ ତାହା ଏକ ବଡ ପ୍ରଶ୍ନ । ଝାରସୁଗୁଡା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଗଡ ରହି ଆସିଛି । ଅଣ କଂଗ୍ରେସ ଦଳ ଏଠାରେ ବିଜୟୀ ହେବା ଏକ ବଡ ଚ୍ୟାଲେଞ୍ଜ । ମାତ୍ର ପରବର୍ତୀ ରାଜନୈତକ ସମୀକରଣକୁ ଦେଖିଲେ ଆଜିର ଦିନରେ ବିଜେଡି ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ତାହାକୁ ଭେଦ କରି ବିରୋଧି କିଭଳି ସଫଳ ହେବେ ତାହା ପ୍ରୟାସ ଚାଲିଛି । ନବ ବାବୁଙ୍କ ବିରୋଧି ଖୋଲାଖୋଲି ମୁହଁ ଖୋଲୁ ନଥିଲେ ହେଁ ଗୁପ୍ତ ଭାବେ ଷ୍ଟ୍ରାଡେଜି କରି ଆଗେଇ ଚାଲିଛନ୍ତି । ଯେଉଁ କାରଣରୁ ଭୋଟର ବି ମୁହଁ ନଖୋଲି ନିରବତା ଅବଲମ୍ବନ କରୁଛନ୍ତି । କିର୍ମିରା ଏବଂ ଲାଇକେରା ବ୍ଲକ୍ରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ଭୋଟର ରହିଛନ୍ତି । କୋଲାବିରା ଏବଂ ଝାରସୁଗୁଡା ବ୍ଲକ୍ରେ ଆଦିବାସୀଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ଅନ୍ୟ ପକ୍ଷରେ ବିଗତ ଦିନର ପରିସଂଖ୍ୟାନରୁ ଜଣାଯାଏ କି ଆଦିବାସୀ ଏବଂ ହରିଜନ କଂଗ୍ରେସର ଭୋଟ ବ୍ୟାଙ୍କର ବଡ ଅଂଶ । ଏମାନଙ୍କ ସମର୍ଥନରେ ଏଠାରେ କଂଗ୍ରେସ ବିପୁଳ ବିଜୟ ହୋଇ ଆସୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ନବ ଦାସଙ୍କ ଭଳି ନେତା କଂଗ୍ରେସ ଟିକେଟରୁ ଲଗାତର ଏଠାରୁ ଜିତି ଆସିଛନ୍ତି । ସେଭଳି ସ୍ଥିତିରେ କଂଗ୍ରେସକୁ ଦୁର୍ବଳ ମଣିବା ବିଜେଡି ଏବଂ ବିଜେପି ଲାଗି ନିରାପଦ ନୁହେଁ । ଆଜିର ଦିନରେ ମହେନ୍ଦ୍ରଙ୍କ ପ୍ରତି ଧିରେ ଧିରେ ସମର୍ଥନ ବୃଦ୍ଧି ପାଉଥିବାରୁ ଆଗକୁ ଲଢେ଼ଇ ରୋଚକ ହେବ ବୋଲି ରାଜନୈତିକ ମହଲରେ ଆଶା । ଅନ୍ୟ ପକ୍ଷରେ ବିଜେପି ପ୍ରତି ମଧ୍ୟ ଲୋକଙ୍କ ଭିତରେ ସ୍ୱତଃ ସମର୍ଥନ ଜାଗ୍ରତ ହେଉଥିବାରୁ ବିଜେଡି ଲାଗି ଏମ ତରଫା ବିଜୟର ଯାହା ଆକଳନ ହେଉଛି ତାହା ତ୍ରିମୁଖୀ ଲଢେ଼ଇରେ ଭୁଲ ସାବ୍ୟସ୍ତ ହୋଇପାରେ । ହେଭିୱେଟ ନବ ଦାସଙ୍କ ସହ ବିରୋଧି କଂଗ୍ରେସ ଓ ବିଜେପି ପ୍ରାର୍ଥୀ କିଭଳି ମୁକାବିଲା କରିବେ ତାହା ପ୍ରଚାର ଜୋର ଧରିବା ପରେ ଜଣାପଡିବ ।