ସରକାରରେ ମିଶିଲେ କଂଗ୍ରେସ ବିଧାୟକ, କିନ୍ତୁ ବିରୋଧୀ ଦଳରେ ରହିବେ
ସରକାରରେ ମିଶିଲେ କଂଗ୍ରେସ ବିଧାୟକ, କିନ୍ତୁ ବିରୋଧୀ ଦଳରେ ରହିବେ
ଗୌହାଟୀ: ଆସାମରେ କଂଗ୍ରେସ ବିଧାୟକ ଶଶିକାନ୍ତ ଦାସ ସୋମବାର ବିଜେପି ସରକାରରେ ମିଶିଛନ୍ତି।
ବିଧାନସଭାରେ ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେ ସରକାରଙ୍କ ସହ ମିଶି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ସେ କଂଗ୍ରେସରୁ ଇସ୍ତଫା ଦେବେ ନାହିଁ। ସେ କଂଗ୍ରେସ ସଦସ୍ୟ ହୋଇଥିଲେ ମଧ୍ୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟକ୍ରମରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।
ଶଶିକାନ୍ତ ଦାସଙ୍କ ଏପରି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଓ ଆସାମର ବିଜେପି ମୁଖ୍ୟ ଭବେଶ କଲିତା ସ୍ୱାଗତ କରିଛନ୍ତି। ଶ୍ରୀ ଦାସ ଦୀର୍ଘ ବର୍ଷ ହେଲା କଂଗ୍ରେସ ପାଇଁ କାମ କରୁଥିଲେ ହେଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ସରକାରଙ୍କ ସହ ମିଶିଛନ୍ତି। କଂଗ୍ରେସ ଶ୍ରୀ ଦାସଙ୍କ ଏପରି ନିଷ୍ପତ୍ତିକୁ ଆଶ୍ଚର୍ୟ୍ୟଜନକ ବୋଲି କହିଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ରାହା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଦାସ ସରକାରଙ୍କ ସହ ସାମିଲ ହୋଇଛନ୍ତି। କାରଣ ଏଠାରୁ ସେ ନିର୍ବାଚିତ ହୋଇ ବିଧାନସଭା ଆସିଛନ୍ତି। ସେ ଏଯାଏ ଆମ ରାଜନୀତିକ ଦଳରେ ସାମିଲ ହେବେ କି ନାହିଁ, ତା’ର ନିଷ୍ପତ୍ତି ନେଇନାହାନ୍ତି। ତଥାପି ଆମେ ତାଙ୍କୁ ସ୍ୱାଗତ କରୁଛୁ। ସେ କଂଗ୍ରେସର ବିଧାୟକ ହୋଇ ରହିବ ଓ ଏବେ ଦଳରୁ ଇସ୍ତଫା ଦେବେ ନାହିଁ।
ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ପାଇଁ କାମ କରି ଆସୁଥିବା ଶ୍ରୀ ଦାସ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନାଗାଓଁ ଜିଲ୍ଲାର ରାହା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି।
ଶ୍ରୀ ଦାସ କହିଛନ୍ତି, ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ଦୀର୍ଘ ବର୍ଷ ହେଲା ରହିଥିଲା। ରାହାରେ ଏକାଧିକ ବିକାଶମୂଳକ କାର୍ୟ୍ୟ ପାଇଁ ସେ ତାଙ୍କୁ ଦେଖା କରିଥିଲି। ସେ ବେଶ ସକାରାତ୍ମକ ଭାବେ ଏହି କାର୍ୟ୍ୟ କରିବାକୁ ରାଜି ହୋଇଥିଲେ। ମୁଁ ସରକାରଙ୍କ ସହ କେବଳ ବିକାଶମୂଳକ କାର୍ୟ୍ୟକ୍ରମ କରିବାକୁ ସାମିଲ ହୋଇଛି। କିନ୍ତୁ କଂଗ୍ରେସ ଛାଡ଼ିବା ନେଇ ମୁଁ କୌଣସି ନିଷ୍ପତ୍ତି ଏଯାଏ ନେଇନି ବୋଲି କହିଛନ୍ତି।




admin 