ସମାଜସେବୀଙ୍କ ଉଦ୍ୟମରେ ରାସ୍ତାକଡରୁ ଘରକୁ ଫେରିଲେ ୮୩ ବର୍ଷର ବୃଦ୍ଧ
ବୁଢା ବାପା ଉପରେ ପୁଅ ବୋହୂ ନାତି ନାତୁଣୀଙ୍କ ଅକଥନୀୟ ଅତ୍ୟାଚାର । ଖାଇବାକୁ ପିଇବାକୁ ନଦେଇ ଘରୁ କରିଦେଲେ ବାହାର। ପୁଲିସ ଓ ବ୍ୟାସ ଫାଉଣ୍ଡେସନ ହସ୍ତକ୍ଷେପରେ ନିଜ ଘରକୁ ଫେରିଲେ ବୁଢାବାପ । ତେବେ ଅଭାବନୀୟ ଘଟଣାଟି ଘଟିଛି, କୁଜଙ୍ଗ ଥାନା କଙ୍କରଦିଆ ଗ୍ରାମରେ । ଖାଇବା ପିଇବା ତ ଦେଲେନି, ଘରୁ ବି ବାହାର କରିଦେଲେ । ୮୩ ବର୍ଷ ବୟସରେ ଶୁକଦେବ ବେସାହାରା ହୋଇ ଶେଷରେ ରାସ୍ତାରେ ବୁଲିଲେ । ଯେଉଁ ବୟସରେ ପୁଅ ବାପର ସାହାରା ପାଲଟିଥାନ୍ତା ସେ ବୟସରେ ସେ ପର କରିଦେଲା । ପୁଅକୁ ବାହା କରିଦେବା ପରେ ଶୁକଦେବଙ୍କ ଦୁଃଖର ଦିନ ଆରମ୍ଭ ହୋଇଥିଲା ।
ଏ ଘଟଣା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ନଜରକୁ ଆସିବା ପରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିଲେ। କୁଜଙ୍ଗ ପୁଲିସ ମଧ୍ୟ କାଉନସେଲିଂ କରିଥିଲା। ଭିତରେ ଭିତରେ ଅରାଜି ଥିଲେ ବି ବୁଧବାର ରାତିରେ ସମାଧାନର ବାଟ ଫିଟିଲା । ଶୁକଦେବ ତାଙ୍କ ପୁଅ ବୋହୂ ନାତି ନାତୁଣୀଙ୍କ ପାଖକୁ ଫେରିଛନ୍ତି ।
ଘଟଣା ଉପରେ ପୁଲିସ ନଜର ରଖିଛି । ଶୁକଦେବଙ୍କୁ ପୁଣି ଯଦି ନିର୍ଯ୍ୟାତିତ କରାଯାଏ ତା'ହେଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ସମାଜସେବୀଙ୍କ ଉଦ୍ୟମରେ ଶୁକଦେବଙ୍କ ପରି ଜଣେ ବରିଷ୍ଠ ନାଗରିକ ଜରାଶ୍ରମ ବଦଳରେ ନିଜ ଘରକୁ ଫେରି ପାରିଛନ୍ତି ।