ଶିଶୁର ଖାଦ୍ୟନଳୀରୁ ବାହାରିଲା ଦୁଇ ଟଙ୍କିଆ କଏନ

ଶିଶୁର ଖାଦ୍ୟନଳୀରୁ ବାହାରିଲା ଦୁଇ ଟଙ୍କିଆ କଏନ

କଟକ: କଟକ ବଡ଼ ଡାକ୍ତରଖାନାରେ ୫ ବର୍ଷର ଶିଶୁ କନ୍ୟାର ଖାଦ୍ୟ ନଳୀରୁ ୨ ଟଙ୍କିଆ କଏନ ବାହାର କରାଯାଇଛି । ଏହି କଏନଟି ଶିଶୁର ଖାଦ୍ୟ ନଳୀରେ ୩ଦିନ ହେଲା ପଶିକି ରହିଥିଲା । ତେବେ ଏବେ ଶିଶୁଟି ସୁସ୍ଥ ଥିବା ସହ କୋଭିଡ ଚିକିତ୍ସା ପାଇଁ ଏସସିବି ଆଇସୋଲେସନରେ ରଖାଯାଇଛି । ସୂଚନା ଅନୁସାରେ, ଢେ଼ଙ୍କାନାଳ ଜିଲ୍ଲାର ଜଣେ ୫ ବର୍ଷର ଶିଶୁ କନ୍ୟା ସୋମବାର ଦିନ ଖେଳୁଥିବା ବେଳେ ଗୋଟିଏ ଦୁଇ ଟଙ୍କିଆ କଏନ ଗିଳି ଦେଇଥିଲା । ପରିବାର ଲୋକ ତୁରନ୍ତ ତାକୁ ଚିକିତ୍ସା ପାଇଁ ନିକଟ ମେଡିକାଲକୁ ନେଇଥିଲେ । ହେଲେ ତାକୁ ଚିକିତ୍ସା ମିଳିଲାନି । କଏନ ଅଟକି ଥିବାରୁ ଶିଶୁ କନ୍ୟାଟି ଖାଇ ବି ପାରୁନଥିଲା । ପରିବାର ଲୋକ ତାକୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ୱାର୍ଡରେ ଭର୍ତ୍ତି ପୂର୍ବରୁ ହୋଇଥିବା ଆଣ୍ଟିଜେନ ପରୀକ୍ଷଣରେ ଶିଶୁକନ୍ୟାର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଫଳରେ ଚିନ୍ତାରେ ପଡ଼ିଥିଲେ ପରିବାର ବର୍ଗ । କିନ୍ତୁ ଏସସିବି ଇଏନଟି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ମୃତି ସ୍ୱାଇଁଙ୍କ ନେତୃତ୍ୱରେ ଡାକ୍ତର ସବ୍ୟସାଚୀ ପତି, ଡାକ୍ତର ଆଶୁତୋଷ ଦାସ, ନିଶ୍ଚେତକ ଡାକ୍ତର ଦେବାଶିଷ ସାହୁ ପ୍ରମୁଖ ଶିଶୁ କନ୍ୟାର ଚିକିତ୍ସା କରି ୩ ଦିନ ହେଲା ଖାଦ୍ୟ ନଳୀରେ ଅଟକି ଥିବା ଦୁଇ ଟଙ୍କିଆ କଏନକୁ ବାହାର କରିଥିଲେ । ଶିଶୁକନ୍ୟା ଏବେ ବିପଦ ମୁକ୍ତ ଥିବା ଓ କୋଭିଡ ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡକୁ ପଠାଇ ଦିଆଯାଇଥିବା ଡାକ୍ତର ସ୍ୱାଇଁ କହିଛନ୍ତି ।