ମହିଳାଙ୍କ ଚେନ୍ ଝାମ୍ପିନେଲା ଜେଲ୍ ଫେରନ୍ତା

ମହିଳାଙ୍କ ଚେନ୍ ଝାମ୍ପିନେଲା ଜେଲ୍ ଫେରନ୍ତା

ମହିଳାଙ୍କ ଚେନ୍ ଝାମ୍ପିନେଲା ଜେଲ୍ ଫେରନ୍ତା
ବାଲିପାଟଣା: ସନ୍ଧ୍ୟା ସମୟରେ ଗାଁ ମନ୍ଦିରରେ ଦୀପ ଜାଳିବା ପାଇଁ ଯାଉଥିବା ବେଳେ ଜଣେ ମହିଳା ଲୁଟର ଶିକାର ହୋଇଛନ୍ତି । ଲୁଟର ଶିକାର ହୋଇଥିବା ମହିଳା ହେଲେ ମୁଣ୍ଡହଣାପାଟଣା ଗ୍ରାମର ମାଳତୀ ବେହେରା (୬୭) । ଜଣେ ସ୍ଥାନୀୟ ଜେଲ ଫେରନ୍ତା ଯୁବକ ତାଙ୍କ ବେକରୁ ୧୨ ଭରି ଓଜନର ସୁନା ଚେନ ଝାମ୍ପି ନେଇଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତଜଣକ ଚେନ ଟାଣି ନେବା ବେଳେ ମାଳତୀଙ୍କ ବେକରେ ଗଭୀର ଆଘାତ ସୃଷ୍ଟି ହୋଇଛି ଓ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି । ସୂଚନାଅନୁସାରେ ସବୁଦିନ ଭଳି ମାଳତୀ ତାଙ୍କ ଗାଁ ମୁଣ୍ଡ ରାଧାକୃଷ୍ଣ ମନ୍ଦିରକୁ ସନ୍ଧ୍ୟା ଦୀପ ଜାଣିବା ପାଇଁ ଯାଆନ୍ତି । ସେ ତାଙ୍କ ପୁଅଙ୍କ ସହ ମନ୍ଦିରକୁ ଯାଉଥିଲେ । ମା ପୁଅ ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଇ ଅତିକ୍ରମ କରୁଥିବା ବେଳେ ହଠାତ ଜଣେ ଯୁବକ ମାଳତୀଙ୍କ ବେକରୁ ଚେନ ଝାମ୍ପି ଦୌଡ଼ିଥିଲା । ଦୁର୍ବୃତ୍ତଜଣକ ସେହି ଗ୍ରାମର ପଙ୍କ ବୋଲି ମାଳତୀଙ୍କ ପୁଅ ଚିହ୍ନି ପାରିଥିଲେ । ପୁଅ ଟର୍ଚ୍ଚ ଲାଇଟରେ ପଙ୍କକୁ ଚିହ୍ନି ପାରି ପାଟି କରିଥିଲେ । ନିକଟରେ ପଙ୍କ ଜେଲରୁ ଫେରିଛି । ଏକ ସଙ୍ଗୀନ ମାମଲାରେ ସେ ଜେଲ ଯାଇଥିଲା ଓ ଏବେ ଜାମିନରେ ଆସି ପୁଣି ଲୁଟପାଟ ଆରମ୍ଭ କରିଛି । ଅଭିଯୋଗ ପାଇଁ ପୁଲିସ ପଙ୍କକୁ ଗିରଫ କରିବା ପାଇଁ ଚଢ଼ଉ ଆରମ୍ଭ କରିଥିଲେ ବି ତାକୁ ଠାବ କରାଯାଇପାରିନାହିଁ ।