ଶିକ୍ଷକମୟ ରାଜଧାନୀ : ଏପରି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ
ଶିକ୍ଷକମୟ ରାଜଧାନୀ : ଏପରି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ
ଭୁବନେଶ୍ବର: ଭୁବନେଶ୍ୱର ଆଜି ଶିକ୍ଷକମୟ। ଏଠି ଲକ୍ଷାଧିକ ଶିକ୍ଷକ ଧାରଣାରେ ବସିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କୁଆଡ଼େ ଗଲେ, ପଦ୍ମପୁର ତାଙ୍କୁ କିଏ ପଠାଇଲା? ଶିକ୍ଷକମାନଙ୍କ ଦାବି ନେଇ ସରକାର ସେମାନଙ୍କ ସହ ଆଲୋଚନା କରନ୍ତୁ, ନଚେତ ଆମେ ପରବର୍ତ୍ତୀ ଅବସ୍ଥାରେ ବି ଗୃହ ଅଚଳ କରିବୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଦାବି ପୂରଣ ଲାଗି ସରକାର ତତ୍ପରତା ଦେଖାଇନାହାନ୍ତି। ଏପରିକି ସେମାନଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ବା ବିଭାଗୀୟ ଅଧିକାରୀ ଏଯାଏ କାହିଁକି ଆଲୋଚନା କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ।
ଶିକ୍ଷକମାନଙ୍କ ଦାବିକୁ ସମର୍ଥନ ଜଣାଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଦୁଇ ଦିନ ହେଲା ଲକ୍ଷ ଲକ୍ଷ ଶିକ୍ଷକ ଧାରଣାରେ ବସିଛନ୍ତି। ମନ୍ତ୍ରୀ ନାହାନ୍ତି, ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନାହାନ୍ତି। ଏମିତିକି କେହି ମନ୍ତ୍ରୀ ଆଲୋଚନା କରୁ ନାହାନ୍ତି। ଶିକ୍ଷକମାନେ ଉଠାଇଥିବା ୩ ଦଫା ଦାବି ପୂରଣ କରିବା ଦରକାର।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଥିଲେ। ଯାହାକି ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।




admin 