ଲିଙ୍ଗିପୁରରୁ ମଧ୍ୟପ୍ରଦେଶ ଅପହରଣ ନାଟକ
ଲିଙ୍ଗିପୁରରୁ ମଧ୍ୟପ୍ରଦେଶ ଅପହରଣ ନାଟକ

ଭୁବନେଶ୍ୱର: ଅପହରଣ ନୁହେଁ ନାଟକ । ନିଜେ ନିଜର ଅପହରଣ ନାଟକ ରଚି ଭୁଆଁ ବୁଲାଉଥିଲା ରାଜଧାନୀର ଡେଲିଭରି ବଏ ପତିତ ପାବନ ପୃଷ୍ଟି । ତାଙ୍କୁ କେହି ନେଇନଥିଲେ ବରଂ ସେ ଜଣେ ଯୁବତୀଙ୍କୁ ନେଇ ରାଜ୍ୟ ବାହାରକୁ ଚମ୍ପଟ ମାରିଥିବାବେଳେ ମଧ୍ୟପ୍ରଦେଶରେ ଧରାପଡ଼ିଛନ୍ତି । ଯେଉଁ ଯୁବତୀଙ୍କୁ ସେ ସାଙ୍ଗରେ ନେଇ ଯାଇଥିଲେ, ତାଙ୍କ ପରିବାର ଲୋକେ ମଧ୍ୟ ଗୋପ ଥାନାରେ ଝିଅର ନିଖୋଜ ଅଭିଯୋଗ କରିଛନ୍ତି । ଏଭଳି କଥା ପଦାକୁ ଆସିବା ଏବେ ନୂଆ ମୋଡ଼ ଦେଇଛି ରାଜଧାନୀର ଡେଲିଭରି ବଏ ପତିତପାବନ ପୃଷ୍ଟି (ଚିକୁନ) ଅପହରଣ ମାମଲାରେ । ମଧ୍ୟପ୍ରଦେଶ ରେଳବାଇ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ରାଜଧାନୀର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରୁ ଦୁଇଦିନ ତଳେ ଡେଲିଭରି ବଏ ପତିତପାବନଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଭଏସ ମେସେଜରେ ଏକଥା ନିଜେ ପତିତପାବନ ପରିବାର ଲୋକଙ୍କୁ ଜଣାଇଥିବା ତାଙ୍କ ପତ୍ନୀ କହିଥିଲେ । ଏହି ଘଟଣା ପରଠୁ ପତିତପାବନଙ୍କ ପତ୍ତା ମିଳୁନଥିଲା । ତେବେ ମଧ୍ୟପ୍ରଦେଶରୁ ରେଳବାଇ ପୁଲିସ ପତିତପାବନଙ୍କୁ ଅଟକ ରଖିଥିବା ଆଜି ସୂଚନା ଆସିଛି । ତାଙ୍କ ସହ ଜଣେ ଯୁବତୀ ଥିବା କୁହାଯାଉଛି । ଏ ଯୁବତୀଙ୍କ ଘର ଗୋପ ଥାନାର ବେଦପୁର ଗାଁରେ ବୋଲି କୁହାଯାଉଛି । ସେଇ ଗାଁରେ ପତିତପାବନଙ୍କ ସମ୍ପର୍କୀୟଙ୍କ ଘର । ତେଣୁ ସେଠାକୁ ଯା’ଆସ ଭିତରେ ଯୁବତୀ ଓ ପତିତପାବନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପତିତପାବନ ବିବାହ କରିଥିବା ସତ୍ୱେ ଉଭୟଙ୍କ ଭିତରେ ସମ୍ପର୍କ ଥିବା କୁହାଯାଉଛି । ଗତ ରବିବାର ରାତିରେ ଖୁଦୁରିକୁଣି ପୂଜା ପରେ ଯୁବତୀ ଜଣଙ୍କ ନିଖୋଜ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ପତିତପାବନ ହିଁ ତାଙ୍କ ଝିଅକୁ ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପୁଲିସ ସୂତ୍ର ୍ରଅନୁଯାୟୀ ପତିତପାବନଙ୍କୁ କେହି ଅପହରଣ କରିନଥିଲେ । ସେ ନିଜେ ଅପହରଣ ନାଟକ ରଖି ନିଜେ ଖସିଯାଇଥିଲେ । ମାମଲା ଆରମ୍ଭରୁ ହିଁ ପତିତପାବନଙ୍କ ଉପରେ ପୁଲିସର ସନେ୍ଦହ ଥିଲା । କମିଶନରେଟ ପୁଲିସର ଏକ ଟିମ ମଧ୍ୟପ୍ରଦେଶ ଯାଇଛି । ଖୁବଶୀଘ୍ର କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ପୂରା ଘଟଣାରୁ ପରଦା ଉଠାଇବ ।