ରେଳ ଅନୁଦାନ: ରାଜ୍ୟ ସରକାର ମାଗିଥିଲେ ୮,୪୦୦ କୋଟି, ମିଳିଲା ୧୦ ହଜାର ୧୨ କୋଟି
ରେଳ ଅନୁଦାନ: ରାଜ୍ୟ ସରକାର ମାଗିଥିଲେ ୮,୪୦୦ କୋଟି, ମିଳିଲା ୧୦ ହଜାର ୧୨ କୋଟି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବଜେଟ୍ରେ ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର କୋଟିରୁ ବି ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ ଅନୁଦାନ ବାବଦରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨ କୋଟି ଟଙ୍କା ଅଧିକ ଆବଣ୍ଟନ କରିଛନ୍ତି । କେନ୍ଦ୍ର ସରକାର ବଜେଟ୍ରେ ରାଜ୍ୟରେ ରେଳ ବିକାଶ ପାଇଁ ୧୦ ହଜାର ୧୨ କୋଟି ଟଙ୍କା ଦେଇଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି । ୨୦୨୨-୨୩ରେ ରେଳର ବିକାଶ ପାଇଁ ୯୭୩୪ କୋଟି ଟଙ୍କା ମିଳିଥିଲା । ହେଲେ ଚଳିତବର୍ଷ ଗତବର୍ଷ ତୁଳନାରେ ମଧ୍ୟ ଅଧିକ ମିଳିଛି । ପୂର୍ବରୁ ୨୦୦୯ରୁ ୨୦୧୪ ମଧ୍ୟରେ ରେଳର ବିକାଶ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିଲା । ମାତ୍ର ଚଳିତବର୍ଷ ଏହି ଅନୁଦାନ ପାଖାପାଖି ୧୦୯୫% ବୃଦ୍ଧି ପାଇଛି ବୋଲି ରେଳ ବିଭାଗ ଦାବି କରିଛି ।
ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବଜେଟରେ ୧୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଜୟନଗରମ ଓ ସମ୍ବଲପୁର ତୃତୀୟ ରେଳ ଲାଇନ୍ ପାଇଁ ୯୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଓଡ଼ିଶାରେ ୫୭ଟି ରେଳ ଷ୍ଟେସନର ଉନ୍ନତିକରଣ କରାଯିବ । ସେଥି ମଧ୍ୟରୁ ପୁରୀରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇସାରିଛି । ବୈଜ୍ଞାନିକ ଜ୍ଞାନ କୌଶଳରେ କାମ କରାଯାଉଛି । ରାଜଧାନୀ ଭୁବନେଶ୍ୱର ଷ୍ଟେସନରେ ମଧ୍ୟ ଉନ୍ନତିକରଣ କାମ ପାଇଁ ଟେଣ୍ଡର୍ ପ୍ରକ୍ରିୟା ସରି ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ସେହିପରି ଲିଙ୍ଗରାଜ ରୋଡ୍ ଷ୍ଟେସନର ମଧ୍ୟ ବିକାଶ କରାଯିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଲିଙ୍ଗରାଜ ରୋଡ୍ ଷ୍ଟେସନ୍କୁ ବ୍ୟାଟେରି ଓ ହାଇଡ୍ରୋଜେନ୍ ଗାଡି ଚାଲିବ । ଅନୁଗୁଳ, ବାଦାମପାହାଡ, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡବିଲ୍, ବରଗଡ଼ ରୋଡ୍, ବାରିପଦା, ବରପାଲି, ବେଲପାହାଡ଼, ବେତନଟି, ଭଦ୍ରକ, ଭବାନିପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଦାମନଯୋଡି, ଗୁଣୁପୁର, ହରିଶଙ୍କର ରୋଡ୍, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡ଼ା, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝରଗଡ଼, କୋରାପୁଟ, କେସିଙ୍ଗା, ଖରିଆର ରୋଡ୍, ଖୋର୍ଦ୍ଧା ରୋଡ୍, ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ପ୍ରମୁଖ ଷ୍ଟେସନଗୁଡିକର ଉନ୍ନତିକରଣ କାର୍ୟ୍ୟ କରାଯିବ । ତେବେ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ର ଗୋଟିଏ ପାଶ୍ୱର୍ କାମ ସରିଥିବା ବେଳେ ଶୀଘ୍ର ଦ୍ୱିତୀୟ ପାଶ୍ୱର୍ କାମ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି ।
ରାଜ୍ୟରେ ୨୮୦ କିମି ନୂଆ ରେଳଲାଇନ ନିର୍ମାଣ ଲାଗି ଚଳିତବର୍ଷ ୨୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଦ୍ୱିତୀୟ ରେଳ ଲାଇନ୍ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବହୁ ପ୍ରତୀକ୍ଷିତ ରାଉରକେଲା-ଝାରସୁଗୁଡ଼ା ୧୦୧ କିମି ତୃତୀୟ ଲାଇନ ନିର୍ମାଣ ପାଇଁ ୧୨୬ କୋଟି ଟଙ୍କା, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ନିର୍ମାଣ ପାଇଁ ୩୯ କୋଟି, ଭଦ୍ରକ-ଖଡ଼ଗପୁର ପାଇଁ ୩୭ କୋଟି, ନାରାୟଣଗଡ଼-ଭଦ୍ରକ ୧୫୫ କିମି ତୃତୀୟ ଲାଇନ୍ ଇପାଇଁ ୫୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇଛନ୍ତି ।




admin 