ରୁଷ ସହିତ ବୁଝାମଣା କରିବାକୁ ରାଜି ହେଲେ ଜେଲେନ୍ସ୍କି
ରୁଷ ସହିତ ବୁଝାମଣା କରିବାକୁ ରାଜି ହେଲେ ଜେଲେନ୍ସ୍କି
କିଭ୍: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ୧୩ ଦିନ ବି ଜାରି ରହିଛି। ରୁଷର ଘନଘନ ଆକ୍ରମଣରେ ଛାରଖାର ହୋଇଯାଇଛି ୟୁକ୍ରେନ୍। ଏହା ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦମ୍ଭ ଏବେ ଭାଙ୍ଗି ଯାଇଛି। ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ବିଭିନ୍ନ ସର୍ତ୍ତ ଉପରେ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ପୂର୍ବରୁ ସେ କେବେ ହେଲେ ପଛକୁ ହଟିବେ ନାହିଁ ବୋଲି କହୁଥିଲେ। ହେଲେ ଏବେ ସେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।
ନାଟୋରେ ମିଶିବାକୁ ଚାହୁଁଥିବାରୁ ୟୁକ୍ରେନ ଉପରେ ରୁଷ ହମଲା ଆରମ୍ଭ କରିଥିଲା। ରୁଷର ବାରମ୍ବାର ତାଗିଦ ସତ୍ତ୍ୱେ ୟୁକ୍ରେନ କିଛି ବି ନ ଶୁଣି ନାଟୋରେ ମିଶିବାକୁ ଇଚ୍ଛା ରଖିଥିଲା। ଏବେ କିନ୍ତୁ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବାକୁ ଚାହୁଁ ନଥିବା ଜେଲେନସ୍କି କହିଛନ୍ତି।
ଏଥିସହ ରୁଷ ସପକ୍ଷବାଦୀ ଓ ୟୁକ୍ରେନ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଲୁହାଂସ୍କ ଓ ଡୋନେସ୍କକୁ ସ୍ୱାଧୀନତା ଦେବା ପ୍ରସଙ୍ଗରେ ମଧ୍ୟ ସେ ରୁଷ ସହ ବୁଝାମଣା କରିବାକୁ ରାଜି ଥିବା କହିଛନ୍ତି। ଏହି ଦୁଇ ଅଞ୍ଚଳକୁ ରୁଷ ଆକ୍ରମଣ କରିବା ପୂର୍ବରୁ ସ୍ୱାଧୀନ ଦେଶର ମାନ୍ୟତା ଦେଇଥିଲା।
ଏହା ସହିତ ସେ କହିଛନ୍ତି, କୌଣସି ଜିନିଷ ପାଇଁ ଭିକ ମାଗୁ ଥିବା ଭଳି ଦେଶର ରାଷ୍ଟ୍ରପତି ହେବାକୁ ସେ ଆଦୌ ପସନ୍ଦ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ସାକ୍ଷାତକାର ବେଳେ ଜେଲେନସ୍କିଙ୍କୁ ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ସର୍ତ୍ତ ଗୁଡ଼ିକ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଏହାର ଜବାବରେ କହିଛନ୍ତି ଯେ ସବୁ ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ। ମୁଁ ସୁରକ୍ଷାର ଗ୍ୟାରେଣ୍ଟି ସମ୍ପର୍କରେ କହୁଛି। ୟୁକ୍ରେନର ଦୁଇଟି ଅଞ୍ଚଳକୁ ରୁଷ ବ୍ୟତୀତ ଆଉ କୌଣସି ରାଷ୍ଟ୍ର ମାନ୍ୟତା ଦେଇନାହାନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବଳ ସର୍ତ୍ତ ନ ରଖି ଆଲୋଚନା ପାଇଁ ମଧ୍ୟ ଆଗକୁ ଆସିବା ଦରକାର। ଆମକୁ କେବଳ ସର୍ତ୍ତ ମାନିବାକୁ କହିଲେ ଆମେ ଏଥିପାଇଁ ପ୍ରସ୍ତୁତ ନାହୁଁ ବୋଲି ସେ କହିଛନ୍ତି।




admin 