ରାଜଧାନୀରେ ଡବଲ ମର୍ଡର

ରାଜଧାନୀରେ ଡବଲ ମର୍ଡର

ରାଜଧାନୀରେ ଡବଲ ମର୍ଡର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ ଏକ ଘରେ ବିଜୟ ସେଠୀ ପରିବାର ସହିତ ରୁହନ୍ତି। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରେ। ସେ ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ। 

ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।

ସୁଦାମ ଓ ତାଙ୍କ ପତ୍ନୀ ଗତକାଲି ବିଜୟଙ୍କ ଘରକୁ ଆସିଥିଲେ। କିନ୍ତୁ ଘରେ ତାଲା ପଡ଼ିଥିଲା। ସୁଦାମ ରାତି ୯ଟା ପର୍ୟ୍ୟନ୍ତ ଜଗି ବସିଥିଲେ। କିନ୍ତୁ ବିଜୟ ଆସି ନଥିଲେ। ତେଣୁ ଆଜି ଭୋରରୁ ସୁଦାମ ପୁଣି ଆସି ଘର ପାଖରେ ଛକି ବସିଥିଲେ। ସକାଳ ପ୍ରାୟ ୭ଟା ବେଳେ ବିଜୟ ଘରକୁ ଆସିବାରୁ ତାକୁ ସେ ମାଡ଼ି ବସିଥିଲେ। ଝିଅମାନଙ୍କ ବିଷୟରେ ପଚାରିବାରୁ ବିଜୟ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏମିତିକି ସେ ଖସି ଯିବାକୁ ପ୍ରୟାସ କରିଥିଲେ। ତେବେ ସେତେବେଳକୁ ସୁଦାମଙ୍କ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚିସାରିଥିଲେ। ସେମାନେ ବିଜୟକୁ କାବୁ କରି ପୁଲିସ୍କୁ ସୂଚନା ଦେଇଥିଲେ।