ରାଜଧାନୀରେ କଙ୍ଗାରୁ କୋର୍ଟ

ରାଜଧାନୀରେ କଙ୍ଗାରୁ କୋର୍ଟ

ରାଜଧାନୀରେ କଙ୍ଗାରୁ କୋର୍ଟ


ଭୁବନେଶ୍ୱର: ଗାଁ ମଝିରେ ବସିଛି ସଭା । ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ଗହଳି ମଝିରେ ୩ ଜଣ ବ୍ୟକ୍ତି କାନ ଧରି ଆଣ୍ଠେଇଛନ୍ତି । ଇଏ କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ଖୋଦ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଥିବା ବରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ ।

କମେଣ୍ଟ ମରାକୁ କେନ୍ଦ୍ର କରି ବରମୁଣ୍ଡା ଗାଁର ତଥାକଥିତ ‘ମୋରାଲ ପୋଲିସିଂ’ର ରକ୍ଷକ ବୋଲାଉଥିବା ବ୍ୟକ୍ତିମାନେ ବାପା-ପୁଅ ଓ ପୁଅର ସାଙ୍ଗଙ୍କୁ ଗାଁ ଦାଣ୍ଡରେ ଦଣ୍ଡ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ଦୃଶ୍ୟକୁ ସୋସିଆଲ ମିଡିଆ(ଫେସ୍‌ବୁକ୍‌)ରେ ଲାଇଭ୍‌ ମଧ୍ୟ କରିଛନ୍ତି । ଲୋକ ଲଜ୍ଜା ଭୟରେ ଜଣେ ଯୁବକ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ, ଦୁଇ ସାଙ୍ଗ ବାଇକ୍‌ ନେଇ ବରମୁଣ୍ଡା ଅଞ୍ଚଳକୁ ଆସିଥିଲେ । କୌଣସି କଥାକୁ ନେଇ ବରମୁଣ୍ଡାର କିଛି ପିଲାଙ୍କୁ ଏହି ଦୁଇ ସାଙ୍ଗ କମେଣ୍ଟ ମାରିଥିଲେ । ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ଦୁଇ ସାଙ୍ଗଙ୍କୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକ । ପୁଲିସକୁ ନ ଜଣାଇ ଜଣେ ବ୍ୟକ୍ତି ଯୁବକଙ୍କ ବାପାଙ୍କୁ ଫୋନ୍‌ କରି ଘଟଣା ସ୍ଥଳକୁ ଡାକିଥିଲେ ।

ଯୁବକଙ୍କ ବାପା ଆସିବା ପରେ ୩ ଜଣଙ୍କୁ ଆଣ୍ଠେଇ ଦେଇଥିଲେ ଲୋକମାନେ । କିଛି ସମୟରେ ପରେ ପାଲମଣ୍ଡପରେ ବସିଥିଲା କଙ୍ଗାରୁ କୋର୍ଟ । ଶହ ଶହ ଲୋକ ଏକାଠି ହୋଇଥିଲା । ଆରମ୍ଭ ହୋଇଥିଲା ବିଚାର । ସେମାନଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ ଆଲୋଚନା ଚାଲିଥିଲା । ଘଟଣାକୁ କିଛି ଲୋକ ଫେସ୍‌ବୁକ୍‌ରେ ଲାଇଭ୍‌ କରିଥିଲେ । ଯେଉଁମାନେ ଏମିତି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠ ନିଆଯିବ ବୋଲି ପୁଲିସ୍‌ କହିଛି ।