ରାଜଧାନୀ ବିଜେପିରେ ଗୋଷ୍ଠୀ କନ୍ଦଳ, ଯୁବମୋର୍ଚ୍ଚା ସଭାପତିଙ୍କୁ ହଟାଇଦେଲେ ବାବୁ ସିଂହ

ରାଜଧାନୀ ବିଜେପିରେ ଗୋଷ୍ଠୀ କନ୍ଦଳ, ଯୁବମୋର୍ଚ୍ଚା ସଭାପତିଙ୍କୁ ହଟାଇଦେଲେ ବାବୁ ସିଂହ

ରାଜଧାନୀ ବିଜେପିରେ ଗୋଷ୍ଠୀ କନ୍ଦଳ, ଯୁବମୋର୍ଚ୍ଚା ସଭାପତିଙ୍କୁ ହଟାଇଦେଲେ ବାବୁ ସିଂହ

ଭୁବନେଶ୍ୱର: ରାଜ୍ୟରେ ନିରଂକୁଶ ଶାସନର ମଜା ନେଉଛି ବିଜେଡି। ଏପଟେ କଂଗ୍ରେସ ଓ ବିଜେପିର ଗୋଷ୍ଠୀ କନ୍ଦଳ ସରକାରୀ ଦଳକୁ ସୁହାଉଛି। ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହଟାଇବାକୁ ଚକ୍ରାନ୍ତ ହେଉଥିବା ନେଇ ବିଜେପିର ମଧ୍ୟ ନିର୍ବାଚନ ମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଥିଲେ । ଏବେ ସତକୁ ସତ ସେହି ଯୁବ ମୋର୍ଚ୍ଚା ସଭାପତିଙ୍କୁ ଦଳବିରୋଧୀ କାର୍ୟ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ସଭାପତି ପଦରୁ ହଟାଇ ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ । କେବଳ ଏତିକି ନୁହେଁ, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ପଦରୁ ବିଦା କରିବା ସହ ଦଳରୁ ଆଜୀବନ ବହିଷ୍କାର କରିବା ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସୁପାରିସ୍ କରିଛନ୍ତି । ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବିଦା କରିବା ପରେ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ବାବୁ ସିଂହ ନିଯୁକ୍ତି ଦେଇଛନ୍ତି । ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଏହି ନିଷ୍ପତ୍ତି ନେଇ ବୁଧବାର ବିଳମ୍ବିତ ରାତିରେ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଦଳର ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଥାଉଥାଉ କାହିଁକି କାର୍ୟ୍ୟକାରୀ ସଭାପତି ନିଯୁକ୍ତି କରାଗଲା, ଜିଲ୍ଲା ଯୁବମୋର୍ଚ୍ଚା ବ୍ୟାନରରେ କାର୍ୟ୍ୟକ୍ରମ ହେଉଥିଲେ ହେଁ ସଭାପତିଙ୍କୁ କାହିଁକି ଡକାଯାଉନି ଭଳି ପ୍ରଶ୍ନ ଜଗନ୍ନାଥ ଉଠାଇଥିଲେ । ଏପରିକି ଏ ନେଇ ସେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଥିଲେ । ହେଲେ କେହି କିଛି ପଦକ୍ଷେପ ନେଲେନି । ଏହାପରେ ଜଗନ୍ନାଥ ଦଳ ଛାଡ଼ିବା ନେଇ ଧମକ ଦେଇଥିଲେ । ବିଜେଡିର ପ୍ରଭାବଶାଳୀ ନେତାଙ୍କ ସହ ତାଙ୍କର ଗୋପନ ବି ଆଲୋଚନା ହୋଇଥିଲା । ହେଲେ ବିଜେଡିରେ ବିରୋଧର ସ୍ୱର ଉଠିବାରୁ ଜଗାଙ୍କ ମିଶ୍ରଣ ପର୍ବ ଅଟକିଯାଇଛି । ସବୁଠୁ ଆଶ୍ଚର୍ୟ୍ୟର ବିଷୟ ହେଲା, ଜଗନ୍ନାଥ ବିଜେଡିରେ ମିଶିବା ନେଇ ଜୋରଦାର୍ ଚର୍ଚ୍ଚା ଚାଲିଥିବାବେଳେ ସେ ବହୁବାର ବିଜେଡି ନେତାଙ୍କ ସହ ବସି ଏନେଇ ଆଲୋଚନା କଲେଣି । କିନ୍ତୁ ଏବେବି ବିଜେପି ଚିହ୍ନ ସହ ସେ ନିଜର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଛନ୍ତି । ଏବେବି ସେ ବିଜେପିରେ ଅଛନ୍ତି ବୋଲି ପରୋକ୍ଷରେ କହି ଚାଲିଛନ୍ତି । ବିଜେପିରେ ଅଛନ୍ତି ବୋଲି ଜଗନ୍ନାଥ ପ୍ରମାଣ ଦେଉଛନ୍ତି; କିନ୍ତୁ କୌଣସି କାର୍ୟ୍ୟକ୍ରମରେ ସାମିଲ ହେଉନାହାନ୍ତି ।

ନିକଟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଓ ଦଳ କାର୍ୟ୍ୟାଳୟରେ ବିପୁଳ ସମ୍ବର୍ଦ୍ଧନା ଦିଆଗଲା । ହେଲେ ସେଠାକୁ ଜଗନ୍ନାଥ କି ତାଙ୍କ ସମର୍ଥକ କେହି ଆସିଲେନି। କେବଳ ଏତିକି ନୁହେଁ; ଜଗନ୍ନାଥ ଆଶା ରଖିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେ ଜଣେ ବିଶ୍ୱସ୍ତ ଅନୁଗତ ଥିବାରୁ କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ ଏଥିରେ ହସ୍ତକ୍ଷେପ କରିବେ। ହେଲା ତାହା ବି ହେଲାନି।