ରୂପା ଛାଉଣି କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଯୋଜନା

ରୂପା ଛାଉଣି କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଯୋଜନା

ଶ୍ରୀମନ୍ଦିରରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଏବେ ତତ୍ପର । ପୂର୍ବରୁ ଶ୍ରୀମନ୍ଦିରର 9 ଟି ଦ୍ୱାରକୁ ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ପତିତପାବନ ମନ୍ଦିର ସମେତ ଯମଶିଳା ଉପରିଭାଗର ଦ୍ୱାରବନ୍ଧକୁ ମଧ୍ୟ ରୂପା ଛାଉଣୀ କରାଯାଇଛି। ନୂଆବର୍ଷରୁ ଭକ୍ତମାନେ ଏହାର ଅନୁଭୂତି ନେବାସହ ରୂପା ଛାଉଣୀ କାର୍ଯ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ମହାପ୍ରଭୁଙ୍କ ଉଦେଶ୍ୟରେ ଦାତା ମାନେ ଶ୍ରୀମନ୍ଦିରକୁ ପର୍ଯ୍ୟାପ୍ତ ପରିମାଣର ରୂପା ଦାନ କରୁଥିବା ବେଳେ ଦାତାଙ୍କ ଦ୍ଵାରା ପ୍ରଦାନ ରୂପାରେ ଶ୍ରୀମନ୍ଦିର ଭିତରର 9 ଟି ଦ୍ୱାର ଯଥା କଳାହାଟ ଦ୍ବାର,,ବେହରଣ ଦ୍ବାର,,ସାତପାହାଚ ଦ୍ବାର,,ଭୋଗମଣ୍ଡପ ଦ୍ବାର,,ଲକ୍ଷ୍ମୀ ମନ୍ଦିର ଦ୍ବାର,,ବିମଳା ମନ୍ଦିର ଦ୍ବାର,,ନୃସିଂହ ମନ୍ଦିର ଦ୍ବାର,,ସୂର୍ଯ୍ୟ ମନ୍ଦିର ଦ୍ବାର ଓ ସିଂହଦ୍ଵାରକୁ ରୂପା ଛାଉଣୀ କରାଯାଇଛି। ଏବେ ପତିତପାବନଙ୍କ ମନ୍ଦିର ସମେତ ଯମଶିଳା ଉପରିଭାଗ ଦ୍ୱାରବନ୍ଧ ବା ଖିଲଣକୁ ରୂପା ଛାଉଣୀ କରାଯାଇଥିବାରୁ ଭକ୍ତ ଓ ସେବାୟତ ମହଲରେ ଏହାକୁ ସ୍ୱାଗତ କରାଯିବା ସହ ବାକି ପଶ୍ଚିମ,, ଉତ୍ତର ଓ ଦକ୍ଷିଣ ଦ୍ବାରକୁ ରୂପା ଛାଉଣୀ କରିବାକୁ ଅନୁରୋଧ କରାଯାଇଛି । ଆଗକୁ ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାରକୁ ରୁପା ଛାଉଣୀ କରାଯିବାକୁ ପ୍ରସ୍ତାବ ରହିଥିବା ବେଳେ ମଦନମୋହନ,ଶ୍ରୀଦେବୀ ଭୂଦେବୀଙ୍କ ସମେତ  ଦୋଳଗୋବିନ୍ଦ ପ୍ରଭୃତି ଠାକୁର ମାନଙ୍କ ୭ଟି ପ୍ରଭାକୁ ମଧ୍ୟ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ। ଏହା ସମେତ ମହାପ୍ରଭୁଙ୍କ ତିନୋଟି ରତ୍ନପଲଙ୍କକୁ ମଧ୍ୟ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ରୂପା ଛାଉଣୀ କରାଯିବ ବୋଲି ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା କହିଥିବା ବେଳେ ଆଗାମୀ ଅକ୍ଷୟ ତୃତୀୟା ପୂର୍ବରୁ 7ଟି ପ୍ରଭାର ରୂପା ଛାଉଣୀ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି। ସେପଟେ ରୂପା ଛାଉଣୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ମାନଙ୍କ ସହ ଆଲୋଚନା କରାଯାଇଛି ଓ ନୂତନ ପରିଚାଳନା କମିଟିରେ ଡିଜାଇନକୁ ଅନୁମୋଦନ କରି ଏହାକୁ କାର୍ଯ୍ୟକାରୀ କରାଯିବ କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ।