ଯୋଜନା ଚିନ୍ତା କରିଦେଲେ ମନ୍ତ୍ରୀ, ବାସ୍ତବତା ବିଚାର କରିଲେ ନାହିଁ

ଯୋଜନା ଚିନ୍ତା କରିଦେଲେ ମନ୍ତ୍ରୀ, ବାସ୍ତବତା ବିଚାର କରିଲେ ନାହିଁ

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଏନେଇ ଯୋଜନା ପ୍ରସ୍ତୁତ କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବଦାହରେ ବ୍ୟବହାର କରାଯିବ ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।  ତେବେ ଏ ନେଇ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।  ସେହିପରି ଗୋମୂତ୍ରରୁ ପ୍ରସ୍ତୁତ ହେବ ଜୈବିକ ସାର ।  ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ । ଖୁବଶୀଘ୍ର ବିଚାର ବିମର୍ଶ କରି ସରକାର ପଦକ୍ଷେପ ନେବା ସହ  ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।  ଗୋ ସୁରକ୍ଷା ଓ ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ  ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଥିବା କହିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ।

 ସ୍ୱର୍ଗଦ୍ୱାର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ବିଶ୍ୱାସ ରହିଛି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲେ ମୃତଶରୀର ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ସେହି ବିଶ୍ୱାସ ଆଧାରରେ କୋଟିକୋଟି ସନାତନ ହିନ୍ଦୁ ଧର୍ମର ଲୋକ ନିଜର ବନ୍ଧୁପରିଜନ, ଆତ୍ମୀୟ ସୃଜନ, ପରିବାର ଲୋକଙ୍କ ଶବସତ୍କାର କରିବାକୁ ସ୍ୱର୍ଗଦ୍ୱାର ଆସିଥାନ୍ତି। ସ୍ୱର୍ଗଦ୍ୱାରରେ କାଠ ପରିବର୍ତ୍ତେ ଘଷିରେ ଶବସତ୍କାର ବା ଅନ୍ତିମ ସଂସାର କରିବା ନେଇ ସରକାରଙ୍କ ପରିକଳ୍ପନାକୁ କେତେକ ସ୍ୱାଗତ କରିଛନ୍ତି। ଘଷି ବ୍ୟବହାର ଦ୍ବାରା ଗଛକଟା ବନ୍ଦ ହେବାସହ ପ୍ରାକୃତିକ ସମ୍ପଦର ଅବକ୍ଷୟ ହେବନାହିଁ ବୋଲି  କେତେକ ଲୋକ ମତ ରଖିଛନ୍ତି ।  ଅନ୍ୟପଟେ ଅନ୍ତିମ ସଂସାର ସମୟରେ ଘଷିର ବ୍ୟବହାରକୁ ଶବଦାହକମାନେ କାଠିକର ପାଠ ବୋଲି କହିଛନ୍ତି। ଯେଉଁଠି ପ୍ରତ୍ୟକ ମୃତ ଶରୀର ପାଇଁ ଏକ କୁଇଣ୍ଟାଲ୍ କିମ୍ବା ତାଠାରୁ ଉର୍ଦ୍ଧ୍ବ କାଠର ଆବଶ୍ୟକ ହୋଇଥାଏ ସେଠାରେ ଘଷିର ବ୍ୟବହାର ଦ୍ୱାରା ମୃତଶରୀର ସଠିକ୍ ଭାବେ ଦାହ ହୋଇପାରିବନି ବୋଲି ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିବା ସମ୍ପର୍କୀୟମାନେ ମଧ୍ୟ କହିଛନ୍ତି। ସେହିପରି କାଠ ପରିବର୍ତ୍ତେ ମୃତଶରୀରରେ ଘଷିର ବ୍ୟବହାରକୁ ପରମ୍ପରା ବିରୋଧୀ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାସ।