ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ

ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ

ମୁଣ୍ଡଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ

ଭୁବନେଶ୍ୱର: ହୀରାକୁଦ ଡ୍ୟାମରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ଏହା କଟକ ଜିଲ୍ଲା ମୁଣ୍ଡଳି ଅତିକ୍ରମ କରିବ। ଆଜି ମୁଣ୍ଡଳି ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର  ୬୧୬.୫୬ ଫୁଟ୍ ରହିଛି। ଡ୍ୟାମ୍‌କୁ ୫,୪୧,୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୫,୬୧,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତା’ହେଲେ ଅଗଷ୍ଟ ୧୫ ବେଳକୁ ଛୋଟ ବନ୍ୟା ଆସିପାରେ। ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ରହିଛନ୍ତି ସଂପୃକ୍ତ ଜିଲ୍ଲା ପ୍ରଶାସନ।

ଉପର ମୁଣ୍ଡରେ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ତଳମୁଣ୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକର ମୁଣ୍ଡଳି ଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ ଦେଇ ଜଳ ନିଷ୍କାସନ ସହିତ ତଳ ମୁଣ୍ଡରେ ବର୍ଷା ହେଉଥିବା ଯୋଗୁ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧିପାଉଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରର ପାହାଚ ଛୁଇଁଲାଣି ମହାନଦୀର ବନ୍ୟାଜଳ। ଲଗାଣ ବର୍ଷାରେ ବନ୍ୟପାଣି ପଶି ବଡ଼ମ୍ବା ବ୍ଳକର ହଜାର ହଜାର ଚାଷଜମି ଜଳାର୍ଣ୍ଣବ ହୋଇଛି। ଫଳରେ ଚିନ୍ତାରେ ପଡ଼ି ଯାଇଛି ଚାଷୀ।

ଅନ୍ୟପକ୍ଷରେ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବିପଦ ସଂକେତ ଟପିଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ୧୮.୦୦ ମିଟରରେ ପ୍ରବାହିତ ହେଉଛି।
ଅନ୍ୟପକ୍ଷରେ ଦାଉ ସାଜିଛି ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ। ଆଜି ଏହା ଅବପାତର ରୂପ ନେବା ପରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ  ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ହେବା ସମ୍ଭାବନା ରହିଛି।