ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ଅମଙ୍ଗ !
ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ଅମଙ୍ଗ !
admin
Nov 13, 2020 - 08:45
Updated: Nov 13, 2020 - 08:45
ପାଟନା : ବିଜେପି ନେତୃତ୍ୱାଧୀନ ଏନଡିଏରେ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଜୁନିଅର ଅଂଶୀଦାର ହୋଇଯାଇଛି । ଏହାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୮ଟି ହ୍ରାସ ପାଇଥିବା ବେଳେ ବିଜେପି ୨୦ଟି ଆସନ ଅଧିକ ପାଇ ମେଣ୍ଟରେ ଏକ ନମ୍ବର ସ୍ଥାନକୁ ଆସିଛି । ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ବିଜେପି ଏବଂ ଜେଡିୟୁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବେ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ନୀତୀଶ ଆଉ ଆଗ୍ରହ ନଥିବା ବିଜେପି ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି । ସେ ଏହି କଥା ସିଧା ସଳଖ କହିନଥିଲେ ମଧ୍ୟ ଜଣାଇ ଦେଇଛନ୍ତି ଯେ ଚୂଡାନ୍ତ ନିଷ୍ପତ୍ତି ଏନଡିଏ ନେବ । ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଅନାଗ୍ରହ ପ୍ରକାଶ କରିବା ପରେ ବିଜେପି ନେତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ନୀତୀଶ କାଳେ ଆରଜେଡି ଆଡକୁ ଢ଼ଳିପଡ଼ିବେ ସେଭଳି ଆଶଙ୍କା ସୃଷ୍ଟି ହୋଇଥିବାରୁ ବିଜେପି ନେତାମାନେ ଦିନ ତମାମ ନୀତୀଶଙ୍କୁ ମନାଇବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ କ୍ଷମତା ପୂର୍ବ ଭଳି ରହିବ ଏବଂ ସେ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ । ଏଥିପାଇଁ ତାଙ୍କ ଉପରେ ବିଜେପି ଚାପ ପକାଇବ ନାହିଁ ବୋଲି ସେମାନେ ତାଙ୍କୁ ବୁଝାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମିଳିଥିବା ସୂଚନା ଅନୁସାରେ ବିଜେପି ଆଗରେ ନୀତୀଶ ଦୁଇଟି ସର୍ତ ରଖିଛନ୍ତି । ପ୍ରଥମଟି ହେଲା ଚିରାଗ ପାଶ୍ୱାନଙ୍କୁ ଏନଡିଏରୁ ବିଦା କରାଯାଉ । ଦ୍ୱିତୀୟଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କ୍ଷମତା ସଙ୍କୁଚିତ ହେବ ନାହିଁ । ଏଲଜେପି ନେତା ପାଶ୍ୱାନଙ୍କୁ ନେଇ ନୀତୀଶ ଭୀଷଣ କ୍ଷୁବ୍ଧ ଅଛନ୍ତି । ସେ ବିଜେପି ନେତାମାନଙ୍କୁ ଜଣାଇ ଦେଇଛନ୍ତି ଯେ ପାଶ୍ୱାନଙ୍କ ଯୋଗୁଁ ତାଙ୍କ ପାର୍ଟିକୁ ୨୫ ରୁ ୩୦ଟି ଆସନ ହରାଇବାକୁ ପଡ଼ିଛି । ନିର୍ବାଚନ ବେଳେ ସେ ଏଭଳି ଆଶଙ୍କା ପ୍ରକାଶ କରିଥିଲେ ।