ମୁକୁଳା ଡ୍ରେନରେ ଭାସିଗଲେ ୧୫ ବର୍ଷର ଛାତ୍ର

ମୁକୁଳା ଡ୍ରେନରେ ଭାସିଗଲେ ୧୫ ବର୍ଷର ଛାତ୍ର

ମୁକୁଳା ଡ୍ରେନରେ ଭାସିଗଲେ ୧୫ ବର୍ଷର ଛାତ୍ର


ଭୁବନେଶ୍ୱର: ପୁଣି କାଳ ହେଲା ମୁକୁଳା ଡ୍ରେନ । ଭାସିଗଲେ ୧୫ବର୍ଷର ଛାତ୍ର । ଟୁ୍ୟସନ ଯାଉଥିବାବେଳେ ଶତାବ୍ଦୀନଗରରେ ମୁକୁଳା ଡ୍ରେନରେ ଭାସିଯାଇଛନ୍ତି  ଏହି ଛାତ୍ର । ତାଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା । ଘର ବରମୁଣ୍ଡା ପାଲାମଣ୍ଡପ ଅଂଚଳରେ । ଆଜି ଅପରାହ୍ନରେ ଅସରାଏ ବର୍ଷା ପରେ ଏଭଳି ଅଘଟଣ ଘଟିଛି । 

  ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଜ୍ୟୋତିପ୍ରକାଶ ସାଇକେଲରେ ଯାଉଥିବାବେଳେ ପାଣିରେ ପଡ଼ିଯାଇଥିଲେ । କିଛି ଦୂରକୁ ଭାସିଯିବା ଦେଖି ସ୍ଥାନୀୟ ଲୋକେ ଡ୍ରେନ ଭିତରକୁ ଡେଇଁ ଖୋଜିଥିଲେ । ମାତ୍ର ସୁଅର ତୋଡ଼ ପ୍ରଖର ଥିବାରୁ ପାଇନଥିଲେ । ଅଗ୍ନିଶମ ଟିମ୍ ବି ଆସି ପହଂଚିଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ସାଇକେଲ ଓ ଚପଲ ମିଳିଥିଲା । ସନ୍ଧ୍ୟା ସୁଦ୍ଧା ଛାତ୍ର ଜଣକ ନିଖୋଜ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । 

  ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଜାଗମରା-ଶିରିପୁର ରାସ୍ତା ଅବରୋଧ କରାଯାଇଥିଲା । କଂଗ୍ରେସ ନେତା ସୁର ରାଉତରାୟ ଏହି ଘଟଣା ପାଇଁ ବିଏମସିକୁ ଦାୟୀ କରିଛନ୍ତି । ବିଜେପି ଜିଲ୍ଲା ସଭାପତି ବାବୁ ସିଂ ମଧ୍ୟ ବିଏମସି ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ଏହି ଘଟଣା ପାଇଁ ବିଏମସିି କମିଶନର, ନଗର ଉନ୍ନୟନ ମନ୍ତ୍ରୀ ଦାୟୀ । ସେମାନଙ୍କ  ବିରୋଧରେ ଏତଲା ଦିଆଯିବ । ଖବର ପାଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । 

  ସୂଚନାଯୋଗ୍ୟ, ମୁକୁଳା ଡ୍ରେନରେ ପୂର୍ବରୁ ଅନେକ ଜୀବନ ଯାଇଛି । ୨୦୧୫ ଅଗଷ୍ଟ ୨୬ରେ ନୂଆପଲ୍ଲୀ ବେହେରା ସାହି ପାଖରେ ପପୁନ ବିଶ୍ୱାଳ ମୁକୁଳା ଡ୍ରେନରେ ଭାସି ପ୍ରାଣ ହରାଇଥିଲେ । ୨୦୧୭ରେ ଗଙ୍ଗନଗରରେ ଜଣେ ଟୁ୍ୟସନ ଶିକ୍ଷକ ମୁକୁଳା ଡ୍ରେନରେ ଭାସି ଜୀବନ ହରାଇଥିବାବେଳେ ୨୦୧୯ରେ ଜଣେ ବୃଦ୍ଧା ଡ୍ରେନରେ ଭାସିଯାଇଥିଲେ । ବାରମ୍ବାର ଏଭଳି ଘଟଣା ସତ୍ୱେ୍ ବିଏମସି ଆବଶ୍ୟକ ପଦକ୍ଷେପ ନେଉନି ।