ଚରଣଜିତ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ
ଚରଣଜିତ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ
ଚଣ୍ଡୀଗଡ଼: ନା ଚର୍ଚ୍ଚା ଥିଲା ନା ରେସରେ ଥିଲେ । ଅଚାନକ ଘୋଷଣା ହେଲା ତାଙ୍କ ନାଁ । ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ନଥାଇ ବି ବାଜି ମାରିନେଲେ ଚରଣଜିତ ସିଂ ଚନ୍ନି । ଜଣେ ଦଳିତ ଶିଖ ନେତା ଭାବେ ପରିଚିତ ଚରଣଜିତଙ୍କୁ ପଞ୍ଜାବ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଚୟନ କରାଯିବା ପରେ ଖୋଦ୍ ପ୍ରଭାରୀ ହରିଶ ରାୱତ୍ ଆଜି ସନ୍ଧ୍ୟା ୫ଟା ୩୬ରେ ଟ୍ୱିଟ୍ କରି ଏହି ସୂଚନା ଦେଲେ । ଆଜି ସନ୍ଧ୍ୟାରେ ଚରଣଜିତ ସିଂ ଚନ୍ନି ଓ ପ୍ରଭାରୀ ହରିଶ ରାୱତ ଯାଇ ଭେଟିଛନ୍ତି ରାଜ୍ୟପାଳଙ୍କୁ । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନି ଶପଥ ନେବେ ବୋଲି ଜଣାପଡ଼ିଛି । ଚରଣଜିତଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଦେଇ କଂଗ୍ରେସ ସଭିଙ୍କୁ ଚକ୍ମା ଦେବା ସହ ଦଳିତ କାର୍ଡ ଖେଳିଛି । ପୂର୍ବରୁ କୌଣସି ଦଳିତ ମୁ୍ଖ୍ୟମନ୍ତ୍ରୀ ନଥିବାବେଳେ କଂଗ୍ରେସ ଆଗାମୀ ନିର୍ବାଚନରେ ଏହାର ଫାଇଦା ନେବାକୁ ପ୍ରୟାସ କରିବ । କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ଚନ୍ନି କ୍ୟାବିନେଟ ମନ୍ତ୍ରୀ ଭାବେ ବୈଷୟିକ ଶିକ୍ଷା ବିଭାଗ ସମ୍ଭାଳିଥିଲେ । ୨୦୧୫ ନଭେମ୍ବରରୁ ୨୦୧୬ ଡିସେମ୍ବର ପର୍ଯ୍ୟନ୍ତ ସେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ନୂଆ ମନ୍ତ୍ରୀମଣ୍ଡଳର ରୂପରେଖ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ୨ଜଣ ଉପମୁ୍ଖ୍ୟମନ୍ତ୍ରୀ ରହିପାରନ୍ତି ।
ଗତକାଲି କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ନବଜତ ସିଂ ସିଦ୍ଧୁ, ସୁନୀଲ ଝାକରଙ୍କୁ ନେଇ ବେଶି ଚର୍ଚ୍ଚା ହେଉଥିଲା । ସକାଳୁ ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । । ଏପରିକି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏ ନେଇ ଅମ୍ବିକା ସୋନିଙ୍କୁ ପ୍ରସ୍ତାବ ଦେବା ସହ ଆଲୋଚନା କରିଥିଲେ । ମାତ୍ର ସ୍ୱାସ୍ଥଗତ କାରଣରୁ ଅମ୍ବିକା ସୋନିଆ ମନା କରିଦେଇଥିଲେ । ତା’ପରେ ରେସରେ ସବୁଠୁ ଆଗକୁ ଆସିଥିଲେ ସିଦ୍ଧୁଙ୍କ ନିକଟତମ କୁହାଯାଉଥିବା କ୍ୟାବିନେଟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଏମିତିକି ପୁଲିସ ବାହିନୀ ତାଙ୍କ ଘର ଆଗରେ ଛାଉଣୀ ହୋଇଯାଇଥିଲେ । ହେଲେ ବାଜି ପୁଣି ପଲଟିଗଲା । ବହୁ ଛକାପଞ୍ଝା, ଆଲୋଚନା ପର୍ଯ୍ୟାଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ଚରଣଜିତ ସିଂ ଚନ୍ନିଙ୍କ ନାଁରେ ମୋହର ମାରିଛି ।




admin 