ମାସକ ଭିତରେ ନନ୍ଦନକାନନର ରୋପୱେ କାର୍ୟ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ମାସକ ଭିତରେ ନନ୍ଦନକାନନର ରୋପୱେ କାର୍ୟ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ମାସକ ଭିତରେ  ନନ୍ଦନକାନନର ରୋପୱେ କାର୍ୟ୍ୟକ୍ଷମ  କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆସନ୍ତା ଏକ ମାସ ଭିତରେ କାର୍ୟ୍ୟକ୍ଷମ ହେବ ନନ୍ଦନକାନନର ରୋପଓ୍ବେ । ଚଳିତ ପର୍ୟ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ୟ୍ୟଟକ ନନ୍ଦନକାନନ ଆସିବାର ସମ୍ଭାବନା ଥିବାରୁ ରୋପଓ୍ବେ କାର୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରୋପଓ୍ବେରେ ଦୈନିକ ପ୍ରାୟ ୩ ହଜାର ପର୍ୟ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ପର୍ୟ୍ୟଟକମାନେ ବଟାନିକାଲ ଓ ଜୁଲୋଜିକାଲ ଗାର୍ଡେନ ମଧ୍ୟରେ ସିଧାସଳଖ ଯିବା ଆସିବା କରିପାରିବେ ।

ନନ୍ଦନକାନନ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବା ସହ ପର୍ୟ୍ୟଟକଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ୟ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚୂଡ଼ଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରଣ କାର୍ୟ୍ୟ ଆରମ୍ଭ ହେବ । ଏହି ଅଞ୍ଚଳରେ ବାଘ, ସିଂହ, ଭାଲୁ ଓ ତୃଣଭୋଜି ଜୀବଜନ୍ତୁଙ୍କ ପାଇଁ ସଫାରି ନିର୍ମାଣ କରାଯିବ । ସଫାରି ମଧ୍ୟରେ ପର୍ୟ୍ୟଟକମାନଙ୍କ ବୁଲିବା ବ୍ୟବସ୍ଥା ଓ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିବ ।

୯ କୋଟି ଟଙ୍କାରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦ ପୁନରୁଦ୍ଧାର କାର୍ୟ୍ୟର ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର । ହ୍ରଦରେ ପର୍ୟ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା କରାଯିବ । ବଟାନିକାଲ ଗାର୍ଡେନ ସମ୍ମୁଖରେ ଗେଟ୍‌ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସମ୍ପର୍କରେ ଅବଗତ ହେବା ସହ ନିର୍ମାଣ କାର୍ୟ୍ୟକୁ ତ୍ବରାନିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି  ।