ମାଡ଼ି ଆସୁଛି "ମହା'
ମାଡ଼ି ଆସୁଛି "ମହା'
admin
Oct 31, 2019 - 07:29
Updated: Oct 31, 2019 - 07:29
ଥିରୁଅନନ୍ତପୁରମ୍ : ଭୟଙ୍କର ସାମୁଦ୍ରିକ ଝଡ଼ "କ୍ୟାର୍' ପରେ ପରେ ଆରବ ସାଗରରେ ପୁଣି ଏକ ଅତି ଭୀଷଣ ବାତ୍ୟା ସୃଷ୍ଟି ହୋଇଛି । ଏହାର ନାମ ରଖାଯାଇଛି "ମହା' । ଏହା ସ୍ଥଳ ଭାଗ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଛି ଏବଂ ନଭେମ୍ବର ୨ରୁ ୪ ମଧ୍ୟରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।
ଆମେରିକା ପାଣିପାଗ ବିଶେଷଜ୍ଞ ଫିଲିପ୍ କ୍ଲଚବ୍ୟାଚ ଅନୁସାରେ ଆରବ ସାଗରରେ ଏକ ସମୟରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବା ଏକ ବିରଳ ଘଟଣା । ପୂବର୍ରୁ ଏଭଳି କେବେ ହୋଇ ନଥିଲା । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ରାତିରେ "ମହା' ଲାକ୍ଷାଦ୍ୱୀପ ନିକଟରେ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ବର୍ତ୍ତମାନ ଉତ୍ତର-ପୂର୍ବ ମାଳଦୀପଠାରୁ ୫୪୦ କିଲୋମିଟର ଏବଂ ଉତ୍ତର-ପଶ୍ଚିମ ଥିରୁଅନନ୍ତପୁରମ ଠାରୁ ୩୨୦ କିଲୋମିଟର ଦୂରରେ ରହିଛି । ଗୁରୁବାର ଏହି ଘୂର୍ଣ୍ଣିବାତ୍ୟା ଲକ୍ଷାଦ୍ୱୀପର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ଭୀଷଣ ରୂପ ଧାରଣ କରିବ । ଅକ୍ଟୋବର ୩୧ରୁ ନଭେମ୍ବର ୧ ତାରିଖ ଯାଏ "ମହା' ଭୟଙ୍କର ରୂପ ନେବ ଏବଂ ନଭେମ୍ବର ୨ରୁ ୪ ତାରିଖ ଯାଏ ଏହା ଅତି ଭୟଙ୍କର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଗୁରୁବାରଠାରୁ ୪ ଦିନ ଧରି କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଓ ଦକ୍ଷିଣ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଲାକ୍ଷାଦ୍ୱୀପ ଏବଂ କେରଳର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଦେଇଛି । ଏହି ସମୟରେ ଲାକ୍ଷାଦ୍ୱୀପ, କେରଳ, ଦକ୍ଷିଣ ତାମିଲନାଡୁ ଏବଂ କର୍ଣ୍ଣାଟକରେ ଘଣ୍ଟାପ୍ରତି ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ଗୁରୁବାର ସନ୍ଧ୍ୟା ପରଠାରୁ ପବନର ବେଗ ୧୬୦ରୁ ୧୭୦ କିଲୋମିଟରକୁ ବଢ଼ିବ । ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ନଭେମ୍ବର ୪ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ । ପାଣିପାଗ ବିଭାଗର ଏହି ସତର୍କବାଣୀ ପରେ "ମହା'ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।