ମରାମତି କାର୍ଯ୍ୟ ପାଇଁ ପଥର ଅଭାବ

ଶ୍ରୀମନ୍ଦିରରେ ଅଭାବ ହେବ ମରାମତି କାର୍ଯ୍ୟ ପାଇଁ ପଥର ! ଖାଲି ହୋଇଛି ନରଣଗଡ଼ , ତାପଙ୍ଗ ,ଖୋର୍ଦ୍ଧା ଭଳି ପଥରଖଣି ପଥର ପାଇଁ ଯାଜପୁର ଉପରେ ନିର୍ଭର କରିବାକୁ ପଡୁଛି ପରିକ୍ରମା ପ୍ରକଳ୍ପ ଉଚ୍ଛେଦ ବେଳେ ବ୍ୟବହୃତ ମେସିନ ପ୍ରଭାବରୁ ଅନେକ ପଥରରେ ଫାଟ

ମରାମତି କାର୍ଯ୍ୟ ପାଇଁ ପଥର ଅଭାବ

କାରୁକାର୍ଯ୍ୟ ଓ କଳା କୌଶଳରେ ପୂର୍ଣ୍ଣ ହିନ୍ଦୁ ଧର୍ମୀୟ ବିଶ୍ୱାସର ପ୍ରତୀକ ଶ୍ରୀମନ୍ଦିର । ଦୀର୍ଘସ୍ଥାୟୀ ଓ ଉତ୍ତମ ମାନର ଖଣ୍ଡେଲାଇଟ୍‌ ପଥର ପାଇଁ ପ୍ରାୟ ହଜାରେ ବର୍ଷ ହେଲାଣି  ଅକ୍ଷତ ଅବସ୍ଥାରେ ରହିଛି ଏହି ବଡ଼ଦେଉଳ । କାଁ ଭାଁ କାରୁକାର୍ଯ୍ୟକୁ ଛାଡ଼ିଦେଲେ ବାକି ସେହିଭଳି ଅକ୍ଷତ ଅବସ୍ଥାରେ ରହିଛି। ଶ୍ରୀମନ୍ଦିରର ଭବିଷ୍ୟତ ଆବଶ୍ୟକତା ତଥା ମରାମତି ପାଇଁ ଅତୀତରେ ଗଜପତି ମହାରାଜ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଥରଖଣିକୁ ମହାପ୍ରଭୁଙ୍କ ନାମରେ ନାମିତ କରିଥିଲେ। ଯେହେତୁ ନରଣଗଡ଼ର ଖାଣ୍ଡେଲାଇଟ୍‌(ବଉଳମାଳିଆ) ପଥର ଉଚ୍ଚମାନର ଓ ସଶକ୍ତ ସେ ଦୃଷ୍ଟିରୁ,ଏହାକୁ ଶ୍ରୀମନ୍ଦିର ମରାମତି କାମରେ ବି ଲଗାଯାଇ ଆସୁଛି।ବିଗତ ଦିନରେ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟ ପ୍ରକଳ୍ପରେ ଏହି ପଥରକୁ ଅଯଥା ବିନିଯୋଗ, ଶ୍ରୀମନ୍ଦିର ପାଇଁ ପଥର ଅଭାବର ପରିସ୍ଥିତି ସୃଷ୍ଟି କରିଛି। ଯଦି ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଏବେଠୁ ବିଚାର କରାନଯାଏ, ତେବେ ଆଗାମୀ ଭବିଷ୍ୟତରେ ଯେ ଶ୍ରୀମନ୍ଦିର ମରାମତି ନିମ୍ନମାନର ପଥରରେ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସେପଟେ ତତ୍କାଳିନ ସରକାରରେ ଥିବା ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅନେକ ପଥର ମାଫିଆ ଉନ୍ନତ ପଥର ଲୁଟ୍ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ।

ମୁଖ୍ୟତଃ ଓଡ଼ିଶାରେ ଦୁଇଟି ଜାଗାରେ ଖାଣ୍ଡେଲାଇଟ୍‌ ପଥର ମିଳେ। ଗୋଟିଏ ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼ରେ ଥିବାବେଳେ ଅନ୍ୟଟି ଯାଜପୁର ଜିଲ୍ଲାରେ ରହିଛି। ଯାଜପୁର ଜିଲ୍ଲାରୁ ମିଳୁଥିବା ଖାଣ୍ଡେଲାଇଟ୍‌ ପଥରର ମାନ ସେତେଟା ଭଲ ନ ଥିବାରୁ ନରଣଗଡ଼ ପଥରକୁ ହିଁ ପ୍ରାଥମିକତା ଭିତ୍ତିରେ ଶ୍ରୀମନ୍ଦିରରେ ବ୍ୟବହାର କରାଯାଇ ଆସୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୮ ମସିହାରେ ଜାତୀୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆମସାର ଆକ୍ଟ ଲାଗୁ ପରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଥିଲା ଏମଓୟୁ ଅନୁଯାୟୀ, ଦୀର୍ଘ ୪୩ ବର୍ଷ ଧରି ଶ୍ରୀମନ୍ଦିର ସହ କୁରୁମ ବେଢ଼ା, ବେଢ଼ା ଭିତରେ ଥିବା ୯୫ଟି ପାର୍ଶ୍ବ ଦେବାଦେବୀ ମନ୍ଦିର, ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ମୁଣ୍ଡାଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ସେବେଠୁ ନରଣଗଡ଼ ପଥରଖଣିରୁ ଖାଣ୍ଡେଲାଇଟ୍‌ ପଥର ଆସି ଶ୍ରୀମନ୍ଦିର ମରାମତି କାମ କରାଯାଉଛି।

କିନ୍ତୁ ବିଗତ ଦୁଇବର୍ଷରେ ତତ୍କାଳୀନ  ରାଜ୍ୟସରକାର ଓଡ଼ିଶା ମାଇନିଂ କର୍ପୋରେସନ୍‌ର ସିଏସଆର କାର୍ଯ୍ୟ ଅନ୍ତର୍ଭୁକ୍ତ କରି ଏହି ପଥରଖଣିରୁ କାଟିବାରେ ଲାଗିଥିଲେ। ଯେଉଁଠି ହାତରେ ଅତି ଯତ୍ନ ସହକାରେ ଏହି ପଥରକୁ କଟାଯାଉଥିଲା, ସେଠି ବଡ଼ ବଡ଼ ମେସିନ୍‌ ଲଗାଇ ପଥରକୁ କରାଯିବା ଦ୍ବାରା ସଠିକ୍ ସାଇଜର ପଥର ଉତ୍ତୋଳନ ହୋଇପାରୁନାହିଁ। ଏହି ମୂଲ୍ୟବାନ ପଥରକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସହ ଶ୍ରୀକ୍ଷେତ୍ର ଓ ଜିଲ୍ଲା ବାହାରର ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଇଛି। ଫଳରେ ପ୍ରାୟ ୪ ଏକର ବ୍ୟାପ୍ତ ନରଣଗଡ଼ର ଏହି ପଥର ଖଣି ଖାଲି ହେବାର ଆଶଙ୍କା ଦେଖାଗଲାଣି।ସେପଟେ ପଥରରେ କୌଣସି ସର୍ଟ ଫଲ ଥିଲେ ତାହାକୁ ସରକାରୀ ସ୍ତରରେ ଆଲୋଚନା କରି ତାହାର ସମାଧାନ କରାଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ତଥା ଉପ ମୁଖ୍ୟ ପ୍ରଶାସକ ।

 

 ଶ୍ରୀମନ୍ଦିର ମରାମତି କାମରେ ଯେଉଁ ପଥର ବିନିଯୋଗ ହେଉଛି, ତାର ଆକାର ବି ଭିନ୍ନ । କିନ୍ତୁ କିଛିବର୍ଷ ହେବ ଯେଉଁ ପଥର କଟାଯାଉଛି, ତାକୁ ମନଇଚ୍ଛା ଛୋଟ ଛୋଟ ବର୍ଗାକାରଆକାରରେ କଟାଯାଉଛି । ଏଣୁ ଅନେକ ପଥର ଅଯଥାରେ ନଷ୍ଟ ହେଉଛି । ଯଦି ଏବେଠୁ ନରଣଗଡ଼ ପଥରଖଣି କଥା ବିଚାର ନ କରାଯାଏ, ତେବେ ଶ୍ରୀମନ୍ଦିର ମରାମତି ରେ ଅସୁବିଧା ଦେଖାଯିବାର ଆଶଙ୍କା ରହିଛି ।