'ଭାରତ ଯୋଡୋ' ଆନ୍ଦୋଳନ କରିବ କଂଗ୍ରେସ
'ଭାରତ ଯୋଡୋ' ଆନ୍ଦୋଳନ କରିବ କଂଗ୍ରେସ
ନୂଆଦିଲ୍ଲୀ: ସାରା ଦେଶରେ 'ଭାରତ ଯୋଡୋ' ଆନ୍ଦୋଳନ କରିବ କଂଗ୍ରେସ। ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ୧୨ ତାରିଖ ପର୍ୟ୍ୟନ୍ତ ୩୫୦୦ କିଲୋମିଟର ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିଛନ୍ତି । ଏହି ପଦଯାତ୍ରାରେ ଦେଶର ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ହେବ ବୋଲି ଦଳ କହିଛି ।
ଏନେଇ କଂଗ୍ରେସ କହିଛି, " ଦେଶରେ ସୃଷ୍ଟି ହେଉଥିବା ଘୃଣ୍ୟ ପରିବେଶ, ସମ୍ବିଧାନ ସ୍ବତନ୍ତ୍ରତାର ଉଲ୍ଲଂଘନ, ମୁଦ୍ରାସ୍ଫୀତି, ଅହେତୁକ ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଇତ୍ୟାଦି ହେଉଛି ଯାତ୍ରାର ମୂଳ ଉଦ୍ଦେଶ୍ୟ ।" କଂଗ୍ରେସ ଯାତ୍ରା ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ କରି କାଶ୍ମୀରରେ ଶେଷ ହେବ । ଏଥିରେ ସାମାଜିକ ସଂଗଠନ ଏବଂ ସମ ବିଚାରଧାରା ଲୋକମାନେ ସାମିଲ ହୋଇପାରିବେ ବୋଲି ଦଳ କହିଛି । ଅନ୍ୟପକ୍ଷରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ପ୍ରସ୍ତାବିତ 'ଭାରତ ଯୋଡ଼ୋ' ପଦଯାତ୍ରା ପ୍ରସଙ୍ଗରେ ନାଗରିକ ସମାଜର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୋମବାର ଏକ ବୈଠକ କରିଥିଲେ ।ସେ କହିଛନ୍ତି, "ଏହି ଯାତ୍ରା ଆମ ପାଇଁ ତପସ୍ୟା ଭଳି । ଦେଶକୁ ଏକଜୁଟ କରିବାକୁ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ।" ଅନୁଷ୍ଠିତ ବୈଠକରେ 'ସ୍ବରାଜ ଭାରତର'ର ଯୋଗେନ୍ଦ୍ର ଯାଦବ, ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ସୟଦା ହମିଦ, ଏକତା ପରିଷଦର ପି.ଭି ରାଜଗୋପାଲଙ୍କ ସମେତ ସାମାଜିକ ତଥା ବେସରକାରୀ ସଂଗଠନର ପ୍ରାୟ ୧୫୦ ପ୍ରତିନିଧି ସାମିଲ ହୋଇଥିଲେ ।
ସୂଚନା ଥାଉକି, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅଗଷ୍ଟ ୫ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦ ଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିଥିଲା ।




admin 