ବ୍ଲକ୍ ମୁଖ୍ୟାଳୟରେ ହେବ ପଞ୍ଚାୟତ ଭୋଟ୍ ଗଣନା
ବ୍ଲକ୍ ମୁଖ୍ୟାଳୟରେ ହେବ ପଞ୍ଚାୟତ ଭୋଟ୍ ଗଣନା
ଭୁବନେଶ୍ବର: ଭୋଟ୍ ଗ୍ରହଣ କେନ୍ଦ୍ରରେ ହେବନି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ସଂପୃକ୍ତ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଦିନରେ ହେବ ଭୋଟ ଗଣନା। ଏନେଇ ପଞ୍ଚାୟତିରାଜ ବ୍ୟବସ୍ଥାର ଆଇନରେ ଥିବା ନିୟମାବଳୀରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସମ୍ପର୍କରେ ଗଜେଟ ବିଜ୍ଞପ୍ତି ଜାରି କରିଛନ୍ତି ।
ସଂଶୋଧିତ ନିୟମ ଅନୁସାରେ, ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ନୂଆ ନିୟମ କରାଯାଇଛି। ପଞ୍ଚାୟତ ଭୋଟ ଗଣତି ନେଇ ସରକାର ଗ୍ରହଣ କରିଛନ୍ତି ନୂଆ ପଦକ୍ଷେପ । ୩ଟି ଆଇନରେ ସଂଶୋଧନ କରିଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶୋଧନ ଆଇନ ୨୦୨୧ । ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଶେଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସକୁ ସିଲ କରିବେ। ଏହାପରେ ଏହାକୁ ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମକୁ ପଠାଇବେ ।ସାରା ରାଜ୍ୟରେ ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବା ପରେ ଗୋଟିଏ ଦିନରେ ଭୋଟ ଗଣତି ହେବ। ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ। ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ। ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ। ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ। ନିୟମ ସଂଶୋଧନ ଲାଗି ଗତ ମାସ ୧୮ ତାରିଖରେ ଚିଠା ନିୟମାବଳୀ ଜାରି ହୋଇଥିଲା । ଲୋକଙ୍କ ଆପତ୍ତି ଓ ପ୍ରସ୍ତାବ ମଗାଯାଇଥିଲା । ତେବେ କୌଣସି ଆପତ୍ତି ଓ ପ୍ରସ୍ତାବ ନମିଳିବାରୁ ଏହି ଗଜେଟ ବିଜ୍ଞପ୍ତି ଜାରି ହୋଇଛି।




admin 