ଡାକ୍ତର ନଥିଲେ ରୋଗୀଙ୍କୁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ
ଡାକ୍ତର ନଥିଲେ ରୋଗୀଙ୍କୁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ
ଭୁବନେଶ୍ୱର : ଡାକ୍ତର ନଥିଲେ ରୋଗୀଙ୍କୁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ। ଡାକ୍ତର ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତ ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ। ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ। ତେବେ ଗୁରୁତର ରୋଗ ନୁହେଁ, କେବଳ ସାମାନ୍ୟ ରୋଗ ପାଇଁ ଔଷଧ ଦେବାକୁ ସେମାନଙ୍କୁ ମିଳିଛି ଅନୁମତି। ଫାର୍ମାସିଷ୍ଟଙ୍କୁ ଏପରି ରୋଗ ନିମନ୍ତେ ଔଷଧ ଦେବାକୁ ଅନୁମତି ମିଳିଛି, ଯାହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିର୍ଦ୍ଦେଶନାମାରେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟମାନେ କେଉଁ ଔଷଧ ଦେବେ ତାହାର ଏକ ତାଲିକା ବି ପ୍ରକାଶ ପାଇଛି। ଏଥିରେ ରୋଗର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ମୁଖ୍ୟତଃ ଜ୍ୱର, ମ୍ୟାଲେରିଆଠୁ ଆରମ୍ଭ କରି ଚର୍ମରୋଗ, ଝାଡ଼ାବାନ୍ତି ଓ କୃମି ସମସ୍ୟା ଥିଲେ ତଥା କେହି ସାମାନ୍ୟ ଆହତ ହୋଇଥିଲେ, ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।




admin 