ବ୍ରହ୍ମଗିରିରେ ଶଙ୍ଖ ପଦ୍ମ ମଧ୍ୟରେ ହେବ ବିଗ୍ ଫାଇଟ୍

ବ୍ରହ୍ମଗିରିରେ ଶଙ୍ଖ ପଦ୍ମ ମଧ୍ୟରେ ହେବ ବିଗ୍ ଫାଇଟ୍

ବ୍ରହ୍ମଗିରିରେ ଶଙ୍ଖ ପଦ୍ମ ମଧ୍ୟରେ ହେବ ବିଗ୍ ଫାଇଟ୍
ପୁରୀ:ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ସରଗରମ ହୋଇଉଠିଛି । ବିଗତ ୧୦ବର୍ଷ ମଧ୍ୟରେ ବ୍ରହ୍ମଗିରିରେ ୧୨ଶହରୁ ଅଧିକ ଫଳକ ଲାଗିଥିବାବେଳେ ଗୋଟିଏ ହେଲେ କାମ ସଂପୂର୍ଣ୍ଣ ହୋଇନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଲୁଲୁଙ୍କ ଆବର୍ତନ ପରେ ଲୁଲୁ ପ୍ରେମୀମାନେ ଏକାଠି ହୋଇଛନ୍ତି । ହଜାର ହଜାର ଲୁଲୁ ପ୍ରେମୀ ଓ ସାଧାରଣ ଜନତା ଲୁଲୁଙ୍କୁ ଝୁରୁଛନ୍ତି । ବ୍ରହ୍ମଗିରିରୁ ବିଜୁ ଜନତାଦଳ ପକ୍ଷରୁ ସଞ୍ଜୟ ଦାସବର୍ମା ଟିକେଟ ପାଇଥିବାବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ କଂଗ୍ରେସ ଦଳ ପକ୍ଷରୁ ଉମାକାନ୍ତ ବରାଳ ଟିକେଟ୍ ପାଇଛନ୍ତି । ଏଠାରେ ଶଙ୍ଖ ଏବଂ ପଦ୍ମ ମଧ୍ୟରେ ସିଧାସଳଖ ବିଗ୍ ଫାଇଟ୍ ହେବାର ସମ୍ଭାବନା ରହିଛି । ବ୍ରହ୍ମଗିରିର ୧୦ଟି ପଂଚାୟତରୁ ଅଧିକ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡିଥିବାରୁ ଏହା ବିଜେଡି ପାଇଁ ଘାତକ ସାଜିଛି । ବିଜେଡିର ଦଳୀୟ କନ୍ଦଳ ଏବେ ଉଗ୍ରରୂପ ଧାରଣ କରିଛି । ଅନ୍ୟପକ୍ଷରେ ଲୁଲୁଙ୍କ ଭାଇ ବେବୀଙ୍କ ପ୍ରତି ଜନସମର୍ଥନ ବଢୁଥିବା ପରିଲକ୍ଷିତ ହେଉଛି । ଲୁଲୁପ୍ରେମୀ ଏକାଠି ହେବା ଓ ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କ ଯୋଗଦାନ ଫଳରେ ବିଜେପି ତା’ର ଶକ୍ତି ବୃଦ୍ଧି କରିଛି । ବିଗତ ୧୦ବର୍ଷ ମଧ୍ୟରେ ବ୍ରହ୍ମଗିରିରେ ରାସ୍ତାଘାଟ ଉନ୍ନତିକରଣ ହୋଇନଥିବାବେଳେ ଚିଲିକା ଅଂଚଳବାସୀଙ୍କ ପାଇଁ ସ୍ଥାୟୀପୋଲ ବ୍ୟବସ୍ଥା ହୋଇନାହିଁ । ଚିଲିକା ଏବଂ ସମୁଦ୍ର ତଟବର୍ତୀ ହୋଇଥିବାରୁ ଏଠାରେ ପାନୀୟଜଳ ସମସ୍ୟା ଲାଗି ରହିଛି । ତାହାର ସମାଧାନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇନଥିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ସଂପୂର୍ଣ୍ଣ ହୋଇନଥିବାରୁ ବସ୍ ସେବା ପାଇବାରୁ ୨୨ ପଂଚାୟତ ବଂଚିତ ହୋଇଛନ୍ତି । ବ୍ରହ୍ମଗିରି, ଖଜୁରିଆ, ଶୁକଳ ଛକ, ଇନ୍ଦିପୁର ଓ ଡ଼େଲାଙ୍ଗ ଦେଇ ଭୁବନେଶ୍ୱର ବସ୍ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୧୦ବର୍ଷ ଧରି ଲୋକମାନେ ଦାବି କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଏହା ଫଳରେ ସଂପୃକ୍ତ ପଂଚାୟତ ବାସୀ ଅସନ୍ତୋଷର କୋହକୁ ଭୋଟ ଦ୍ୱାରା ଜଣାଇବେ ବୋଲି ମତ ଦେଇଛନ୍ତି । ବିଭିନ୍ନ ପଂଚାୟତରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଓ ସାଂଗଠନିକ କାର୍ଯ୍ୟକ୍ର୍ରମ କରାଯାଉଥିବାରୁ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିଧାୟକ ଲୋକମାନଙ୍କ ସହ ସିଧାସଳଖ ସମ୍ପର୍କ ନରଖି ତାଙ୍କ ଚତୁଃପାଶ୍ୱର୍ରେ ଘେରି ରହିଥିବା କିଛି କର୍ମୀଙ୍କ ଜରିଆରେ କାମ କରୁଥିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ରହ୍ମଗିରିରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବ । ଫୁଲ ଓ ଶଙ୍ଖ ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ପଂଚାୟତସ୍ତରୀୟ କିଛି ଜନପ୍ରତିନିଧି ଏବେ ମେଳ ହୋଇ ରୁଦ୍ଧଦ୍ୱାର ବୈଠକରେ ଆଗାମୀ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ରଣ କୌଶଳ ସ୍ଥିର କରୁଛନ୍ତି । ଯାହା ଜଣାପଡୁଛି ଆଗାମୀ ଦିନରେ ବ୍ରହ୍ମଗିରିରେ ରାଜନୈତିକ ଦାରୁ ପରିବର୍ତନ ହେବାର ଆଶଙ୍କା ଅଧିକ ରହିଛି ।