ବିଧାୟକ ପାଣ୍ଠି ବୃଦ୍ଧି ନେଇ ଗୃହରେ ସରଗରମ ଆଲୋଚନା

ବିଧାୟକ ପାଣ୍ଠି ବୃଦ୍ଧି ନେଇ ଗୃହରେ ସରଗରମ ଆଲୋଚନା

ବିଧାୟକ ପାଣ୍ଠି ବୃଦ୍ଧି ନେଇ ଗୃହରେ ସରଗରମ ଆଲୋଚନା


ଭୁବନେଶ୍ବର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ବିଧାୟକ ପାଣ୍ଠିର ବୃଦ୍ଧି କରଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଦାବି କରିଛନ୍ତି । ଅନ୍ୟପଟେ ବିଧାୟକମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାର କାର୍ୟ୍ୟକାରୀ ହେବା ନେଇ ଅଧିକାରୀଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି ।

ଆଲୋନାରେ ଭାଗ ନେଇ ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ, ''ରାଜ୍ୟର ବଡ଼ ବଡ଼ ମନ୍ଦିରଗୁଡ଼ିକର ବିକାଶ କାର୍ୟ୍ୟ ଚାଲୁ ରହିଛି । ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିରଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରାଯାଉ ।'' ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ''ଯେହେତୁ ପଡୋଶୀ ରାଜ୍ୟମାନଙ୍କରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟିକୁ ବୃଦ୍ଧି କରଯାଉ । ସରସ୍ବତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରାଯାଉ ।''ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ଯେ, ''ରାସ୍ତାଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଧାର୍ୟ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରାଯାଉ ।'' ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ''ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ । ସମୟ ଆସିଲେ ବିଚାର କରାଯିବ । ୨୦୨୦-୨୧ରେ ବିଧାୟକ ପାଣ୍ଠି ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଥିଲା ।''

ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨ କୋଟି ଥିବାବେଳେ ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ରରେ ୫ କୋଟି ଏବଂ ଉତ୍ତରପ୍ରଦେଶରେ ମଧ୍ୟ ୫ କୋଟି ରହିଛି । ସେପଟେ ଏନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାୟକମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ । ଏହା କିପରି କାର୍ୟ୍ୟକାରୀ ହେବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଅ ବୋଲି ବାଚସ୍ପତି ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।