ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇକୁ କଂଗ୍ରେସର ଦାବି
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇକୁ କଂଗ୍ରେସର ଦାବି
admin
Dec 6, 2019 - 05:26
Updated: Dec 6, 2019 - 05:26
ଭୁବନେଶ୍ୱର – ପ୍ରତିଦିନ ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ପୁରୀ ଗଣଦୁଷ୍କର୍ମ ଘଟଣା ପରେ ଗତକାଲି ରାଜଧାନୀର ଖଣ୍ଡଗିରି ଅଂଚଳରେ ମହିଳାଙ୍କୁ ଦୁଷ୍କର୍ମ, କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗାଁର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ଜିଲ୍ଲା ଧୁଷୁରୀ ଅଂଚଳରେ ନାବାଳିକାକୁ ଦୁଷ୍କର୍ମ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନ ଅନ୍ତର୍ଗତ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବାଙ୍କୀରେ ନାବାଳିକାକୁ ଅପହରଣ, କୋରାପୁଟ ଜିଲ୍ଲା ଜୟପୁର ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ଅନ୍ତସତ୍ୱା ହେବା ପ୍ରସଙ୍ଗ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପିକାଙ୍କୁ ପୋଲିସ ପ୍ରଶାସନ ନ୍ୟାୟ ନଦେବାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ଶାସକ ବିଜେଡି ଦଳର ସଂପୃକ୍ତିରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତୁ୍ୟ ପ୍ରସଙ୍ଗ, ରାଉରକେଲାର ନାବାଳିକାକୁ ଅସଦାଚରଣ, ପୁରୀର ନାବାଳିକାକୁ ଗଣଦୁଷ୍କର୍ମ ଓ ପରିଶେଷରେ ଭୁବନେଶ୍ୱରସ୍ଥ ଅଶୋକନଗର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ନବରଙ୍ଗପୁର ନିବାସୀ ଆର. ରଂଜିତା ରାଓଙ୍କ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଦ୍ୱାରା ମାନସିକ ଚାପ କିମ୍ବା ଅନ୍ୟ ଯେକୌଣସି ସଂଗୀନ କାରଣ ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ସଂପ୍ରତି ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ଦେବାରେ କେତେଦୂର ଯଥାର୍ଥ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରାଜ୍ୟବାସୀଙ୍କୁ ଉତର ଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦୃଢ ଦାବି କରିଛନ୍ତି । ପ୍ରତି ୧୫ ମିନିଟ୍ରେ ଦେଶରେ ଜଣେ ମହିଳା ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ଦୈନିକ ୮ ଜଣ ମହିଳା, ନାବାଳିକା ଓଡିଶାରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅସଦାଚରଣ ଓଡିଶାକୁ ବଳାକ୍ରାରୀ ରାଜ୍ୟରେ ପରିଣତ କରିବାରେ ଲାଗିଛି ବୋଲି ବରିଷ୍ଠ କଂଗ୍ରେସ ନେତା ପଦ୍ମାକର ଗୁରୁ କ୍ଷୋଭ ପ୍ରକାଶ କରିଥିଲେ । ଏ ସମସ୍ତ ପ୍ରସଙ୍ଗ ଯେଉଁଠି ଯେଉଁ ସମୟରେ ସଂଗଠିତ ହେଉଥିଲେ ବି କଂଗ୍ରେସ ଦଳ ପୀଡିତା ଓ ତାଙ୍କର ପରିବାର ବର୍ଗଙ୍କ ସହିତ ଶେଷ ଲଢେଇ ପର୍ଯ୍ୟନ୍ତ ନ୍ୟାୟ ଦେବା ପାଇଁ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀଯୁକ୍ତ ନାୟକ ମତପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ, ଦାୟିତ୍ୱହୀନ ଓ ଅପାରଗତା ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ହୁ ହୁ ବୃଦ୍ଧି ପାଉଥିବା ନାରୀ ଓ ଶିଶୁ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବିରୁଦ୍ଧରେ ତଥା ମହିଳା ଓ ଶିଶୁମାନଙ୍କର ସୁରକ୍ଷା, ନିରାପତା, ସମ୍ମାନ ଓ ସ୍ୱାଭିମାନ ଦାବିରେ କଂଗ୍ରେସ କେବେବି ହୀନ ରାଜନୀତି କରିନାହିଁ ବରଂ ୫ମ ପାଳିର ଲଗାତର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ପାଖରେ ସର୍ବ ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉତରଦାୟୀ ବୋଲି ଶ୍ରୀଯୁକ୍ତ ନାୟକ ଯୁକ୍ତି ବାଢିଥିଲେ । ବିଧାନସଭାର ନିର୍ଦ୍ଧିଷ୍ଟ ସମୟସୀମାର ଅବ୍ୟବହିତ ପୂର୍ବରୁ ବିଧାନସଭାକୁ ବନ୍ଦ କରିବା ଘଟଣା ସଂସଦୀୟ ଗଣତନ୍ତ୍ରର ପରମ୍ପରା ପାଇଁ ଏକ କଳଙ୍କିତ ଅଧ୍ୟାୟ । ମହିଳାମାନଙ୍କର ସୁରକ୍ଷା, ନିରାପତା, ସମ୍ମାନ ଓ ସ୍ୱାଭିମାନ ଦୃଷ୍ଟିରୁ ମାନନୀୟ ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ୍ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଇ ଉପରୋକ୍ତ ପ୍ରସଙ୍ଗକୁ ଆଲୋଚନା କରାଯାଇ ନିରପେକ୍ଷ ତଦନ୍ତର ବ୍ୟବସ୍ଥା କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନର ସମସ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଶ୍ରୀଯୁକ୍ତ ନାୟକ ଦୃଢ ଦାବି କରିଥିଲେ । ଏପରିକି ନାରୀମାନଙ୍କ ସୁରକ୍ଷା, ନିରାପତା, ସମ୍ମାନ ଓ ସ୍ୱାଭିମାନ ଦୃଷ୍ଟିରୁ ବିଧାନସଭାରେ ଏକ ଶ୍ୱେତପତ୍ର ଆଗତ କରିବାକୁ ଶ୍ରୀଯୁକ୍ତ ନାୟକ ଦୃଢ଼ ଦାବି କରିଛନ୍ତି । ଦରକାର ପଡିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରମୁଖ ରାଜନୈତିକ ଦଳର ଦଳପତିଙ୍କୁ ତଥା ବରିଷ୍ଠ ରାଜନେତାମାନଙ୍କୁ ଡକାଇ ଉକ୍ତ ପ୍ରସଙ୍ଗରେ ଏକ ନିର୍ଦ୍ଧିଷ୍ଟ, ଯୁଗୋପଯୋଗୀ ଓ ଭରସାଯୋଗ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଶ୍ରୀଯୁକ୍ତ ନାୟକ ପରାମର୍ଶ ଦେଇଛନ୍ତି । ପୂର୍ବରୁ ସଂଗଠିତ ହୋଇଥିବା କୁନ୍ଦୁଲି, ଭେଡେନ, ନିହାରିକା, ବେବିନା ଓ ଇତିଶ୍ରୀ ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭି ନଥିବା ବେଳେ ଉପରୋକ୍ତ ଘଟଣାଗୁଡିକ ସନେ୍ଦହକୁ ଆହୁରି ବୃଦ୍ଧି କରୁଛି ବୋଲି ଶ୍ରୀଯୁକ୍ତ ଗୁରୁ ମତପୋଷଣ କରିଥିଲେ । ସମସ୍ତ କାର୍ଯ୍ୟପନ୍ଥା ଯଦି ଅବିଳମ୍ବେ ଓ ସକ୍ରୀୟତାର ସହିତ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ନନିଅନ୍ତି ତେବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଦଳ ଦୃଢ଼ ଆନେ୍ଦାଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତାମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ପ୍ରାକ୍ତନ ପିସିସି ସଂପାଦକ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିବା ବେଳେ ପିସିସିର ପ୍ରାକ୍ତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।