ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଭାର
ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଭାର
ଭୁବନେଶ୍ୱର: ଗତକାଲି ନୂଆ ମନ୍ତ୍ରୀ ଶପଥ ନେଲେ, ଆଜି ନବୀନ ନିବାସରେ ବିଦାୟୀ ମନ୍ତ୍ରୀ ପହଞ୍ଚିଲେ । ଯାହା କିଛି ସମୟ ପାଇଁ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଥିଲା । କିନ୍ତୁ ନବୀନ ନିବାସରୁ ବିଦାୟୀ ମନ୍ତ୍ରୀ ବାହାରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ବାସ୍ତବରେ ବିଦାୟୀ ମନ୍ତ୍ରୀ ମାନେ ନବୀନ ନିବାସରୁ ଡାକରା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ଅରୁଣ ସାହୁଙ୍କ ପରି ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।
ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଛି । ତେଣୁ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଚାରି ଦିନ ଭିତରେ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି । କୋଭିଡ୍ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଆଶ୍ୱାସନା ଦେଇ ବିଦାୟୀ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇନାହିଁ ।
ସେହିଭଳି ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମକୁ ବ୍ୟଥିତ କରିନାହିଁ । ଦଳ ପାଇଁ ସାଙ୍ଗଠନିକ କାର୍ୟ୍ୟ ଜାରି ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଭରସା ଆମ ଉପରେ ରଖିଛନ୍ତି ଓ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଶ୍ଚୟ ପୂରା କରିବୁ ।
ବିଦା ମନ୍ତ୍ରୀଙ୍କ ମଧ୍ୟରେ ଦଳୀୟ ସଙ୍ଗଠନ ଏବଂ ନିର୍ବାଚନ ପରିଚାଳନାରେ ବିଶେଷ ଦବ୍ଦବା ରଖୁଥିବା ସୁଶାନ୍ତ ସିଂହ ରହିଛନ୍ତି। କିନ୍ତୁ ସୁଶାନ୍ତଙ୍କୁ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ପଦ ମିଳିପାରେ ବୋଲି ଦଳରେ ଚର୍ଚ୍ଚା ଚାଲିଛି। ସେହିପରି ବାଦ୍ ପଡିଥିବା ମନ୍ତ୍ରୀଙ୍କ ଭିତରେ ଥିବା ବିକ୍ରମକେଶରୀ ଆରୁଖଙ୍କୁ ବାଚସ୍ପତି କରାଯିବା ସମ୍ଭାବନା ଥିବାବେଳେ ଅନ୍ୟମାନଙ୍କୁ ସାଙ୍ଗଠନିକ କାର୍ୟ୍ୟରେ ନିୟୋଜିତ କରାଯାଇପାରେ। ପୂର୍ବ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ବିକ୍ରମକେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ପ୍ରେମାନନ୍ଦ ନାୟକ ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।
ନବୀନଙ୍କ ନୂଆ ଟିମ୍ରେ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୩ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନବୀନଙ୍କ ନୂଆ ବ୍ରିଗେଡ୍ରେ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ସୁଯୋଗ ମିଳିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜେନ୍ଦ୍ର ଢୋଲକିଆ । ସେହିଭଳି ୯ ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି ।
ଏହାସହ ପୂର୍ବରୁ ଥିବା ୫ ମନ୍ତ୍ରୀଙ୍କୁ ବି ସୁଯୋଗ ମିଳିଛି ।