ବିଜେପିରେ ସାମିଲ ହେଲେ ଜୀବନ ପ୍ରଦୀପ
ବିଜେପିରେ ସାମିଲ ହେଲେ ଜୀବନ ପ୍ରଦୀପ
admin
Jan 14, 2021 - 08:42
Updated: Jan 14, 2021 - 08:42
ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡ଼ି ଜିତିବା ପରେ ଜୀବନଙ୍କୁ ବହିଷ୍କାର କରାଯାଇଥିଲା । ବିଜେପିକୁ ଭୋଟ ଦେବା ନେଇ ତାଙ୍କର ଏକ ଅଡ଼ିଓ ଭାଇରାଲ ହୋଇଥିଲା । ଯାହାଫଳରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ ।
ବେଶ କିଛିଦିନର ନୀରବତା ପରେ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ପୁଣି ନିଜ ଦଳକୁ ଫେରି ଆସିଛନ୍ତି । ୨୦୦୦ ମସିହାରେ ସେ ବିଜେପିରୁ ଟିକେଟ ପାଇ ବାଲେଶ୍ୱରରୁ ବାଜିମାତ କରିଥିଲେ । କିନ୍ତୁ ବିଜେପି ଓ ବିଜେଡ଼ି ମେଂଟ ଭାଙ୍ଗିବା ପରେ ସେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ ବିଜେଡ଼ିରୁ ବିଧାୟକ ହୋଇଥିଲେ । ତେବେ ଗତ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ବାଲେଶ୍ୱରର ଦିବଂଗତ ବିଧାୟକ ମଦନମୋହନ ଦତଙ୍କ ବିୟୋଗ ପରେ ଉପନିର୍ବାଚନ ହୋଇଥିଲା । ସେତେବେଳେ ଟିକେଟ ପାଇବା ପାଇଁ ଜୀବନ ଆଶା ବାନ୍ଧିଥିଲେ ମଧ୍ୟ ରବୀନ୍ଦ୍ର ଜେନା ଟିକେଟ ପାଇବାକୁ ରଣନୀତି କରିଥିଲେ । ଫଳରେ ବିଜେଡ଼ି ଅକଳରେ ପଡ଼ିଯାଇଥିଲା । ଶେଷରେ ବିଜେଡ଼ି ରବୀନ୍ଦ୍ର କିମ୍ବା ଜୀବନଙ୍କୁ ପ୍ରାର୍ଥୀ କରିନଥିଲା । ବାଲେଶ୍ୱରରେ ଉପନିର୍ବାଚନରେ ଯଦିଓ ଜୀବନ ବିଜେଡ଼ି ପାଇଁ ପ୍ରଚାର କରିଥିଲେ ଗୋଟିଏ ଭାଇରାଲ ଅଡ଼ିଓ ତାଙ୍କୁ ଅକଳରେ ପକାଇ ଦେଇଥିଲା । ଏବେ ସେ ପୁଣି ବିଜେପିକୁ ଫେରି ଆସିଥିବାବେଳେ ଉପନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ପ୍ରମାଣିତ ହୋଇଯାଇଛି ବୋଲି ଜଣେ ବିଜେଡ଼ି ନେତା ପ୍ରକାଶ କରିଛନ୍ତି ।