ବିଜେଡିକୁ ଗଲେ ଘାଟାରେ ପଡିବେ ପ୍ରଦୀପ ମାଝୀ

ବିଜେଡିକୁ ଗଲେ ଘାଟାରେ ପଡିବେ ପ୍ରଦୀପ ମାଝୀ

ବିଜେଡିକୁ ଗଲେ ଘାଟାରେ ପଡିବେ ପ୍ରଦୀପ ମାଝୀ

ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସିଲେ ନେତାମାନଙ୍କ ଠାରେ ଦଳବଦଳ ରୋଗ ବ୍ୟାପିବାରେ ଲାଗିଥାଏ  । ଏବେ ସାଧାରଣ ନିର୍ବାଚନର ସମୟ ନଥିଲେହେଁ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ରହିଛି  । ଯେଉଁମାନେ ନିଜ ଦଳରେ ରହି ଲାଭ ନାହିଁ ବୋଲି ଭାବୁଛନ୍ତି ସେମାନେ ଏବେ ଅନ୍ୟ ଦଳକୁ ଯିବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛନ୍ତି  । ଏହି କ୍ରମରେ ଏବେ କଂଗ୍ରେସ ଓ ବିଜେପିରେ ଦଳବଦଳ ଇଚ୍ଛା ସଂକ୍ରମଣ ଭଳି ବ୍ୟାପୁଥିବା ଦେଖିବାକୁ ମିଳିଛି । ବିଜେପିର ଅନେକ ଜିଲ୍ଲା ପରିଷଦ ବିଜେଡ଼ି ଶିବିରକୁ ମୁହାଁଉଥିବାବେଳେ କଂଗ୍ରେସ ନେତା ବି ପଛରେ ପଡ଼ିନାହାନ୍ତି  । ତେବେ ସମ୍ପ୍ରତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଦଳବଦଳ ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋରଧରିଛି  । ଯଦିଓ ପ୍ରଦୀପ ମାଝୀ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଚାଲିଛନ୍ତି ତଥାପିବି ପ୍ରଦୀପ ଶଙ୍ଖ ଧରିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି  । ଏହି ପରିପ୍ରେକ୍ଷୀରେ ପ୍ରଦୀପ ବିଜେଡ଼ିକୁ ଗଲେ କେତେ ଲାଭ କେତେ କ୍ଷତିରେ ରହିବେ ସେନେଇ ଆମେ ଅନୁଶୀଳନ କରିଛୁ  ।

କଂଗ୍ରେସର ଜଣେ ଆଗଧାଡ଼ିର ଯୁବ ନେତା ଭାବେ ପ୍ରଦୀପ ମାଝୀଙ୍କୁ ସମସ୍ତେ ଜାଣନ୍ତି  । ରାଜ୍ୟର ସେ ଆଦିବାସୀ ଚେହେରା ବୋଲି କହିଲେ ଭୁଲ ହେବନାହିଁ  । ଆଦିବାସୀ ଇଲାକାରେ ସବୁଠାରୁ ଲୋକପ୍ରିୟ ଓ ଟାଣୁଆ ନେତା ଭାବେ ପ୍ରଦୀପ ମାଝୀଙ୍କର ଖ୍ୟାତି ରହିଛି  । ସବୁଠାରୁ ବଡ଼ କଥା ହେଉଛି, କେବଳ ରାଜ୍ୟସ୍ତରରେ ନୁହେଁ ଦିଲ୍ଲୀରେ ବି ତାଙ୍କର ଢେ଼ର ପତିଆରା ରହିଛି  । ବିଶେଷକରି ରାହୁଲ ସେନାର ସେ ଜଣେ ଆଗଧାଡ଼ିର ଯୋଦ୍ଧା କହିଲେ ଭୁଲ ହେବନାହିଁ  । ପ୍ରଦୀପଙ୍କର ସାଂଗଠନିକ ଦକ୍ଷତା ପାଇଁ ଆଗାମୀ ଦିନରେ ସେ ରାଜ୍ୟ କଂଗ୍ରେସର ଭବିଷ୍ୟତ ଭାବେ ଉଭା ହୋଇଛନ୍ତି  । ବିଶେଷକରି ସୁସଂଗଠକ ଲୁଲୁ ମହାପାତ୍ର ଓ ସଂଗ୍ରାମ ଜେନାଙ୍କ ଅକାଳ ବିୟୋଗ ପରେ ପ୍ରଦୀପ ମାଝୀ ଏବେ ସମ୍ଭାବନା ଭାବେ ଉଭା ହୋଇଛନ୍ତି  । କାଲି ଯଦି କଂଗ୍ରେସ କେନ୍ଦ୍ରରେ ସରକାର ଗଢେ଼ ତେବେ ପ୍ରଦୀପ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନିଶ୍ଚିତ ବୋଲି ଅନେକ ରାଜନୀତିକ ବିଶେଷଜ୍ଞମାନେ ମତପୋଷଣ କରନ୍ତି ।

ଏଭଳି କ୍ଷେତ୍ରରେ ପ୍ରଦୀପଙ୍କ ବିଜେଡ଼ିରେ ଯୋଗଦାନ ଖବର ନିହାତି ଭାବେ ଅନ୍ୟକୁ ଚକିତ କରୁଛି  । ଯଦିଓ ପ୍ରଦୀପ ଏହାକୁ ଖଣ୍ଡନ କରି ଆସୁଛନ୍ତି ତଥାପିବି ଅନେକ କଂଗ୍ରେସ ନେତା ଓ କର୍ମୀଙ୍କ ମନ ବୁଝୁନାହିଁ  । ନିଅାଁ ନଥିଲେ ଧୂଆଁ ବାହାରେନି, ଠିକ ସେମିତି ପ୍ରଦୀପଙ୍କ ବିଜେଡ଼ିରେ ଯୋଗଦାନ ଚର୍ଚ୍ଚାକୁ ଅନେକ ହାଲକାରେ ନେଉନାହାନ୍ତି  । ଯଦି ଏଭଳି ହୁଏ ତେବେ ପ୍ରଦୀପ ମାଝୀ ଘାଟାରେ ପଡ଼ିବେ ବୋଲି ଜଣେ ରାଜନୈତିକ ସମୀକ୍ଷକ ପ୍ରକାଶ କରିଛନ୍ତି  । ତାଙ୍କର କହିବା କଥା, ପ୍ରଦୀପ ସାଂସଦ ସିନା ହୋଇପାରିନାହାନ୍ତି ହେଲେ ନବରଙ୍ଗପୁର ସାଂସଦଙ୍କ ଠାରୁ ତାଙ୍କର ପତିଆରା ଢେ଼ର ଅଧିକା ରହିଛି  । ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାଙ୍କର ବହୁ ଲୋକପ୍ରିୟତା ରହିଛି  । ଯଦି ସେ ସାମୟିକ ଲୋଭରେ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଯାଆନ୍ତି ତେବେ ଲାଞ୍ଜ ହୋଇରହିବା ନିଶ୍ଚିତ  । ହୋଇପାରେ, ସେ ପରବର୍ତୀ ନିର୍ବାଚନରେ ସାଂସଦ ହୋଇପାରନ୍ତି କିନ୍ତୁ ତାଙ୍କୁ ଅନେକ ଜୁନିଅର ବିଜେଡ଼ି ନେତାଙ୍କର ଗୋଡ଼ାଣିଆ ହୋଇ ରହିବାକୁ ପଡ଼ିବ  । ଅପରପକ୍ଷରେ କଂଗ୍ରେସ କର୍ମୀମାନେ ବି ତାଙ୍କ ଉପରେ କ୍ଷୁବ୍ଧ ହେବା ସ୍ୱାଭାବିକ  । ପୂର୍ବରୁ ଗିରିଧର ଗମାଙ୍ଗ ବି ଯାଇ ବିଜେପିରେ ଯୋଗ ଦେଇଥିଲେ  । ସେ ଦଳରେ ତାଙ୍କର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି  । ଖାଲି ସେତିକିନୁହେଁ ଭୂପିନ୍ଦର ସିଂ ହୁଅନ୍ତୁ କି ନବ କିଶୋର ଦାସ, ବିଜେଡ଼ିରେ ସେମାନଙ୍କର ସ୍ଥିତି କ’ଣ ଭଲ ଭାବେ ଅନୁଶୀଳନ କରିଛନ୍ତି  । ପ୍ରତି ମୁହୂର୍ତରେ ସେମାନଙ୍କୁ ଜଗିରଖି ଯିବାକୁ ହେଉଛି  । ତେଣୁ ପ୍ରଦୀପ କ୍ଷମତା ଲୋଭରେ ଗୋଡ଼ାଣିଆ ହେବେ ନା ରାଜ୍ୟ କଂଗ୍ରେସର ଭବିଷ୍ୟତ ହେବେ ତାହା ତାଙ୍କ ଉପରେ ହିଁ ନିର୍ଭର କରେ  ।