ବାର୍ଡ ଫ୍ଲୁ ଯୋଗୁଁ ଓଡିଶା କୁକୁଡା ଶିଳ୍ପ ଗୁରୁତର ପ୍ରଭାବିତ

ବାର୍ଡ ଫ୍ଲୁ ଯୋଗୁଁ ଓଡିଶା କୁକୁଡା ଶିଳ୍ପ ଗୁରୁତର ପ୍ରଭାବିତ

ବାର୍ଡ ଫ୍ଲୁ ଯୋଗୁଁ ଓଡିଶା କୁକୁଡା ଶିଳ୍ପ ଗୁରୁତର ପ୍ରଭାବିତ
ଭୁବନେଶ୍ୱର: ଓଡ଼ିଶାରୁ ଉତ୍ପାଦିତ ଅଣ୍ଡା ଓ କୁକୁଡାଜାତ ସାମଗ୍ରୀ ଆମଦାନୀ ଉପରେ ବିଦେଶୀ ରାଷ୍ଟ୍ରଗୁଡ଼ିକ କଟକଣା ଜାରି କରିଛନ୍ତି। ଆଭିଆନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ବା ବାର୍ଡ ଫ୍ଲୁ ବ୍ୟାପିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ସଂକ୍ରାନ୍ତରେ ଜାଣିବା ପରେ କାତାର ନ୍ୟାଶନାଲ ହେଲ୍ଥ ଅଥରିଟି ଭାରତରୁ ଅଣ୍ଡା ସହ ସମସ୍ତ କୁକୁଡ଼ାଜାତ ସାମଗ୍ରୀ ଆମଦାନୀ ବନ୍ଦ କରିଦେଇଛି। ସେହିଭଳି ସୌଦି ଆରବ, କୁଏତ୍ ଓ ହଂକଂ ଭଳି ଅନ୍ୟ କେତେକ ଦେଶ ମଧ୍ୟ ଭାରତରୁ କୁକୁଡ଼ାଜାତ ସାମଗ୍ରୀ ନେବା ଉପରେ କଟକଣା ଜାରି କରିଛି। ଏପରିକି ସେସବୁ ରାଷ୍ଟ୍ରକୁ ନିକଟରେ ଯାଇଥିବା କୁକୁଡାଜାତ ସାମଗ୍ରୀ ଫେରି ଆସୁଛି । ଅନ୍ୟପକ୍ଷରେ ଓଡ଼ିଶା ଉପରେ ନିର୍ଭର କରୁଥିବା ଭାରତର କେତେକ ରାଜ୍ୟ ମଧ୍ୟ କଟକଣା ଲାଗୁ କରିଛନ୍ତି। ଫଳରେ ଓଡ଼ିଶାର କୁକୁଡ଼ା ଶିଳ୍ପରେ ଏବେ ଗୁରୁତର ସଂକଟ ଦେଖାଦେଇଛି। ଅନ୍ତର୍ଜାତୀୟ ସ୍ତରୀୟ ଗଣମାଧ୍ୟମ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପଶୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସମ୍ପୃକ୍ତ ଦେଶଗୁଡ଼ିକ ଏଭଳି କଟକଣା ଜାରି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କେଶବ ଚନ୍ଦ୍ରା ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାର୍ଡ ଫ୍ଲୁ ପାଇଁ ଦେଶର ରପ୍ତାନି କ୍ଷେତ୍ର ବିଶେଷଭାବେ ପ୍ରଭାବିତ ହୋଇଛି। ତୁରନ୍ତ ଆଭିଆନ ଇନ୍ଫ୍ଲୁଏଞ୍ଜା ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରାଯିବା ସହ କୁକୁଡ଼ାଜାତ ସାମଗ୍ରୀର ରପ୍ତାନି ପରିବେଶ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।