ବାବୁ ଆଗରୁ କେଉଁଠି ଥିଲେ

ବାବୁ ଆଗରୁ କେଉଁଠି ଥିଲେ

ବାବୁ ଆଗରୁ କେଉଁଠି ଥିଲେ


ଭୁବନେଶ୍ୱର: ମୁକୁଳା ଡ୍ରେନରେ ପଡ଼ି ୧୫ ବର୍ଷର ଛାତ୍ର ଜ୍ୟୋତି ପ୍ରକାଶ (ରାଜା) ଜୀବନ ହରାଇଲା । ଏ ଘଟଣା ପାଇଁ ସମସ୍ତେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଦାୟୀ କରୁଛନ୍ତି । ଦାୟୀ କରିବା ବି ଉଚିତ୍ । ବିଏମସିର ଅବହେଳାରୁ ହିଁ ପିଲାଟିର ଜୀବନ ଯାଇଛି, ଏକଥାକୁ କେହି ଅସ୍ୱୀକାର କରିପାରିବେନି । ମାତ୍ର ଏ ପ୍ରସଙ୍ଗ ନେଇ ରାଜନୀତି ବି ଜୋର ତେଜିଛି । ଗୋଳିଆ ପାଣିରୁ ରାଜନୈତିକ  ଫାଇଦା ନେବାକୁ ସବୁଠୁ ବେଶି ସକ୍ରିୟ ହୋଇ ପଡ଼ିଛନ୍ତି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ । କେତେବେଳେ ବିଏମସି ଘେରାଉ କଲେଣି ତ ଆଉ କେତେବେଳେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ନୀରବ ପ୍ରତିବାଦ ଜଣାଉଛନ୍ତି । ରାଜନୈତିକ ଦଳ ପ୍ରତିବାଦ କରିବାରେ କିଛି ଅସୁବିଧା ନାହିଁ । ମାତ୍ର ବାବୁଙ୍କ ଏଭଳି ସକ୍ରିୟତା ଦେଖି ତାଙ୍କ ବିରୋଧୀ ପ୍ରଶ୍ନ କଲେଣି- ଏ ବାବୁ ଆଗରୁ କେଉଁଠି ଥିଲେ? ବିଜେଡିର ୨୧ ବର୍ଷ ଶାସନରେ ୧୯ ବର୍ଷ ବାବୁ ସରକାରୀ ଦଳରେ ଥିଲେ । ସେତେବେଳେ କ’ଣ ତାଙ୍କୁ ମୁକୁଳା ଡ୍ରେନ ଦିଶୁନଥିଲା ନା ସହର ଉବୁଟୁବୁ କଥା ଜଣାନଥିଲା? 

  ଡ୍ରେନେଜ୍ ସମସ୍ୟା ନେଇ ବାବୁ ଏବେ ଭାରି ସକ୍ରିୟ ହୋଇପଡ଼ିଛନ୍ତି । ରାତିଦିନ ବିଏମସିକୁ ଘେରୁଛନ୍ତି । ଜ୍ୟୋତିପ୍ରକାଶ (ରାଜା)ର ମୃତୁ୍ୟ ପାଇଁ ବିଏମସିକୁ ଦାୟୀ କରୁଛନ୍ତି । ବିଏମସି କମିଶନରଙ୍କୁ ଗିରଫ କରିବାକୁ ଦାବି ଉଠାଉଛନ୍ତି । ଏତଲା ବି ଦେଉଛନ୍ତି । ହେଲେ ୨୦୧୫ ଅଗଷ୍ଟରେ ଯେତେବେଳେ ନୂଆପଲ୍ଲୀରେ ୮ ବର୍ଷର ପିଲା ପୁପୁନ ବିଶ୍ୱାଳ ମୁକୁଳା ଡ୍ରେନରେ ଭାସିଯାଇଥିଲା, ସେତେବେଳେ ସାରା ଭୁବନେଶ୍ୱର ଉଠିଲା ପଡ଼ିଲା । ନେତାଙ୍କ ସୁଅ ଛୁଟିଲା ମୃତ ପୁପୁନର ଘରକୁ । ହେଲେ ସେତେବେଳେ କାହିଁକି ବାବୁଙ୍କ ଦେଖା ମିଳୁନଥିଲା । କ’ଣ ସେ ପିଲାଟିର ଜୀବନ ମୂଲ୍ୟ ବାବୁଙ୍କ ପାଇଁ କିଛି ନଥିଲା? ଢେରଦିନ ଧରି ବାବୁ ସିଂ ଭୁବନେଶ୍ୱର ବିଜେଡିର ଦାୟିତ୍ୱ ସମ୍ଭାଳିଥିଲେ । ଥରୁଟିଏ କାହିଁକି ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ବିଏମସି ମେୟର, ବିଏମସି କମିଶନର, ନଗର ଉନ୍ନୟନ ସଚିବ, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରୁନଥିଲେ? ତାଙ୍କ ଘରଠାରୁ ନବୀନ ନିବାସ ଦୂରତା ବି ବେଶି ଦୂର ନୁହେଁ, ଏକଥା ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେଇନଥିଲେ କାହିଁକି? ଏକଦା ସେ ଥିଲେ ଏକାମ୍ର ବିଧାୟକଙ୍କ ଅତି ନିକଟତର । ହେଲେ କେବେ ବିଧାୟକଙ୍କୁ ଭେଟି ଏ ବାବଦରେ ଆଲୋଚନା କରିଥିଲେ କି?

  ବାବୁ ବିଜେଡିରେ ଥିବାବେଳେ ଯେଉଁମାନେ ମୁକୁଳା ଡ୍ରେନରେ ଭାସିଯାଇଥିଲେ, ସେମାନଙ୍କ ମୃତୁ୍ୟ ପାଇଁ ଥରୁଟିଏ ଦୁଃଖ ପ୍ରକାଶ କରିଥିଲେ କି?   ବିଏମସି କ’ଣ ୨୦୧୯ ଯାଏ ସବୁ ଠିକ୍ କରୁଥିଲା? ନା ୨୦୧୯ ପର୍ଯ୍ୟନ୍ତ ବାବୁଙ୍କୁ ସାରା ସହର କେବଳ ସବୁଜ ସୁନ୍ଦର ଲାଗୁଥିଲା? ବିଜେପିର ଏଭଳି ଆନେ୍ଦାଳନକୁ କଂଗ୍ରେସ ନେତାମାନେ ପ୍ରହସନ ଓ ନାଟକବାଜି ବୋଲି କହୁଛନ୍ତି ।   ବିଜେଡି ନେତା କହୁଛନ୍ତି, ବିଏମସି ତା’ର କାମ କରୁଛି । ମୁକୁଳା ଡ୍ରେନରେ ପର୍ଯ୍ୟାୟ କ୍ରମେ ସ୍ଲାବ ପଡୁଛି । ଏକଥା ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଭଲ ଭାବେ ଜାଣିଛନ୍ତି । କେବଳ ରାଜନୀତି ପାଇଁ ଏବେ ସେ ହୋହଲ୍ଲା କରୁଥିବା ବିଜେଡି ନେତାମାନେ କହୁଛନ୍ତି ।