ବାପା ନେଇ ଯାଉଛନ୍ତି ମଧ୍ୟାହ୍ନ ଭୋଜନ ଟଙ୍କା, ଚାଉଳ: ଜାଣନ୍ତୁ କାହିଁକି ଏମିତି ଅଭିଯୋଗ କଲା ନାବାଳିକା ଝିଅ
ବାପା ନେଇ ଯାଉଛନ୍ତି ମଧ୍ୟାହ୍ନ ଭୋଜନ ଟଙ୍କା, ଚାଉଳ: ଜାଣନ୍ତୁ କାହିଁକି ଏମିତି ଅଭିଯୋଗ କଲା ନାବାଳିକା ଝିଅ
admin
Nov 18, 2020 - 07:17
Updated: Nov 18, 2020 - 07:17
କେନ୍ଦ୍ରାପଡ଼ା: ଝିଅର ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା ଓ ସାବତ ମା’ । ଏପରି ଅଭିଯୋଗ ଆଣି ୧୧ ବର୍ଷର ଝିଅ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଝିଅଟି ଗତ ସପ୍ତାହରେ ଆସି ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ସୂଚନା ଅନୁଯାୟୀ ମାର୍ଶାଘାଇ ବ୍ଲକ ଦୁମୁକା ଗ୍ରାମର ରମେଶ ସେଠୀଙ୍କ ଝିଅ ସୁଶ୍ରୀ ସଙ୍ଗୀତା ଦୁମୁକା ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ପ୍ରାୟ ତିନି ବର୍ଷ ତଳେ ତାଙ୍କ ମା’ଙ୍କ ମୃତୁ୍ୟ ପରେ ପିତା ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ତାଙ୍କ ବାପାଙ୍କର ଆଉ ଦୁଇଟି ପିଲା ହୋଇଥିଲେ । ଏଭଳି ସ୍ଥିତିରେ ବାପା ଓ ସାବତ ମା ଲାଳନ ପାଳନରେ ଅବହେଳା କରିବାରୁ ବଡ଼ ବାପା ରବି ସେଠୀଙ୍କ ପାଖେ ରହି ପାଠ ପଢ଼ୁଥିଲେ ସଙ୍ଗୀତା । କିନ୍ତୁ କୋଭିଡ ସମୟରେ ସ୍କୁଲ ବନ୍ଦ କାରଣରୁ ମଧ୍ୟାହ୍ନ ଭୋଜନ ବାବଦକୁ ଯେଉଁ ଚାଉଳ ଓ ଟଙ୍କା ଦିଆଯାଉଥିଲା, ତାହାକୁ ବାପା ନେଇଯାଉଛନ୍ତି ବୋଲି ସଙ୍ଗୀତା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଜୁନ ୧୪ ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରଥମ ଦଫାରେ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ସମେତ ପ୍ରତି ମିଲ ପିଛା ୮ ଟଙ୍କା ୧୦ ପଇସା ହିସାବରେ ୫୭ ଦିନର ଟଙ୍କା ଦିଆଯାଇଛି । ଏହି ଟଙ୍କା ସିଧାସଳଖ ଆକାଉଣ୍ଟ ଜରିଆରେ ଦିଆଯାଇଥାଏ । ଯେଉଁମାନଙ୍କ ଆକାଉଣ୍ଟ କୌଣସି କାରଣରୁ ଅଚଳ ଥାଏ, ସେମାନଙ୍କ ଅର୍ଥ ଶିକ୍ଷକମାନେ ସମ୍ପୃକ୍ତ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲକୁ ଡକାଇ ଦେଇଥାନ୍ତି । ଏହି କ୍ରମରେ ମଧ୍ୟାହ୍ନ ଭୋଜନ ବାବଦକୁ ଯେଉଁ ଚାଉଳ ଓ ଟଙ୍କା ମିଳିଛି, ତାକୁ ଅଭିଭାବକ ହିସାବରେ ବାପା ନେଇଯାଇଛନ୍ତି ବୋଲି ଝିଅ ସଙ୍ଗୀତା ଅଭିଯୋଗ କରିଛନ୍ତି । ଏହା ସହିତ ଉକ୍ତ ଟଙ୍କା ଓ ଚାଉଳ ବାପାଙ୍କଠାରୁ ଆଣି ତାଙ୍କୁ ଦେବାକୁ ଝିଅ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ବାପା ଚାଉଳ ଓ ଟଙ୍କା ନେଇଯାଉଥିବା ଅଭିଯୋଗକୁ ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂହ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ଘଟଣାର ତଦନ୍ତ ହୋଇଛି । ତଦନ୍ତରୁ ଝିଅର ବାପା ଟଙ୍କା କିମ୍ବା ମଧ୍ୟାହ୍ନ ଭୋଜନ ନେଇ ନଥିବା ଜଣାପଡ଼ିଛି । ଝିଅର ବାପା ଟଙ୍କା ନେବା ପାଇଁ ସ୍କୁଲକୁ ଆସିଥିଲେ ବି ଶିକ୍ଷକ ତାଙ୍କୁ ଦେଇ ନାହାନ୍ତି । ସମସ୍ତ ଟଙ୍କା ଓ ଚାଉଳ ଝିଅକୁ ହିଁ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।