ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ
ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣା ପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀପଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ଦିଲ୍ଲୀପଙ୍କ ସ୍ୱତନ୍ତ୍ର ସ୍ଥାନ ଥିଲା ବୋଲି କହିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିବା ସହ ଦିଲ୍ଲୀପଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି । ଓଡ଼ିଆ ଖବରକାଗଜ ‘ସମ୍ବାଦ’ରୁ ନିଜ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ସ୍ୱର୍ଗତ ଶତପଥୀ ୧୯୯୩ରେ ବିଜନେସ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ । ରକ୍ତ କର୍କଟରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ରବିବାର ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୩ଦଶନ୍ଧି ଧରି ସେ ସାମ୍ବାଦିକତାରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ । ସାମ୍ବାଦିକତା ଶିକ୍ଷା ପ୍ରଦାନ କରୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଲୋକପ୍ରିୟତା ହାସଲ କରିଥିଲେ । ଏଥିସହ ବିଜନେସ ରିପୋର୍ଟିଂରେ ଓଡ଼ିଶାରେ ଜଣେ ଆଗଧାଡ଼ିର ସାମ୍ବାଦିକଭାବେ ମାନ୍ୟତା ହାସଲ କରିଥିଲେ । ବିଭିନ୍ନ ଖବରକାଗଜରେ ନିୟମିତ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ସମ୍ପର୍କିତ ସ୍ତମ୍ଭ ଲେଖିବା ସହ ଟେଲିଭିଜନରେ ମଧ୍ୟ ଜଣେ ଆଲୋଚକଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ ।