ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର
ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଫଳରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଜଳସ୍ତର ବଢିବାରୁ ବନ୍ୟା ଆଶଙ୍କା କରାଯାଉଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ।
ଯୁଗ୍ମ ଏସଆରସି କହିଛନ୍ତି ଯେ, ମୟୂରଭଞ୍ଜରେ ହାରାହାରି ୧୨୫ ଓ ବାଲେଶ୍ଵର ଜିଲ୍ଲାରେ ୯୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଏହା ପ୍ରଭାବରେ ବାଲେଶ୍ଵରର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜି ପାରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ବାଲେଶ୍ଵରରେ ୨ଟି ଅତିରିକ୍ତ ଏନଡିଆରଏଫ, ୨ଟି ଓଡ୍ରାଫ ଏବଂ ୮ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି ।ସେହିପରି ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଏବଂ ୪ଟି ଅଗ୍ନିଶମ ଟିମ ନିୟୋଜିତ ହୋଇଛି । ଏହା ଛଡ଼ା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଉତ୍ତର ଓଡ଼ିଶାର ସ୍ଥିତି ସମ୍ପର୍କରେ ଏସଆରସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଉଛି ।
ଝାଡଖଣ୍ଡ କାଲୁରି ବ୍ୟାରେଜରେ ୧୬ଟି ଗେଟ ଖୋଲାଯିବା ଫଳରେ ବନ୍ୟା ବିପଦ ବଢିଛି । ୪.୮୯ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ବିପଦ ସଙ୍କେତ ଉପରେ ବୈତରଣୀ । ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମି, ଜଳସ୍ତର ୩୯.୦୮ ମି । ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ରହିଛି । ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।




admin 