ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା ପରେ ଉତ୍ତେଜନା
ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା ପରେ ଉତ୍ତେଜନା
ନୂଆଦିଲ୍ଲୀ: କର୍ଣ୍ଣାଟକାର ଶିବମୋଗାରେ ଦୁର୍ବୃତ୍ତମାନେ ଜଣେ ୨୩ ବର୍ଷୀୟ ଯୁବଙ୍କୁ ହତ୍ୟା କରିଛନ୍ତି। ଯୁବକ ଜଣକ ବଜରଙ୍ଗ ଦଳର ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଥିପାଇଁ ପୂରା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ରବିବାର ରାତିରେ ଏହି ଯୁବକ ଜଣଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଏମସି ଗାନ୍ନ ଜିଲ୍ଲା ହସ୍ପିଟାଲକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୋଟିଏ ପଟେ କର୍ଣ୍ଣାଟକାରେ ହିଜାବକୁ ନେଇ ବିବାଦ ଚାଲିଥିବା ବେଳେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ଏହାକୁ ହିଜାବ ବିବାଦ ସହ ଯୋଡ଼ିଛନ୍ତି। ହେଲେ କର୍ଣ୍ଣାଟକା ଗୃହମନ୍ତ୍ରୀ ଅରଗା ଜନନେନ୍ଦ୍ର ଏହାକୁ ଖଣ୍ଡନ କରିଛନ୍ତି। ହିଜାବ ବିବାଦ ସହ ଉକ୍ତ ହତ୍ୟାକାଣ୍ଡର କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ସେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶିବମୋଗାରେ ଯୁବକ ଜଣଙ୍କ ଟେଲର ଭାବେ କାମ କରୁଥିଲେ। ଏଥିସହ ସେ ବଜରଙ୍ଗ ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ। ରବିବାର ରାତି ପ୍ରାୟ ୯.୩୦ରେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ଶେଷରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି କିଛି ପ୍ରମାଣ ସଂଗ୍ରହ କରିଛି। ତେଣୁ ଖୁବଶୀଘ୍ର ଦୋଷୀମାନେ ଧରାପଡ଼ିବେ ବୋଲି ପୁଲିସ୍ ଆଶା କରିଛି।
ତେବେ ଘଟଣାରକୁ ନେଇ ଶିବମୋଗାରେ ବିବାଦ ବଢ଼ିବାରେ ଲାଗିଛି। ତେଣୁ ଗୃହମନ୍ତ୍ରୀ ଜନନେନ୍ଦ୍ର ସମସ୍ତଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।




admin 